ପୁଣି ଥରେ ଲମ୍ବା କେଶ ରଖିବାର କାରଣ କହିଲେ ଏମ୍‌.ଏସ୍‌ ଧୋନୀ, ଶୁଣି ଭାବୁକ ହେଲେ ଫ୍ୟାନ୍ସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୮।୧୨: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍‌.ଏସ୍‌ ଧୋନୀ ଲମ୍ବା ଚୁଟି ରଖିବାକୁ ଖୁବ୍‌ ପସନ୍ଦ କରନ୍ତି। ହେଲିକପ୍ଟର ସଟ୍‌ ମାରିବା ସହ ଲମ୍ବା ଚୁଟି ପାଇଁ ଧୋନୀ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ୨୦୦୭ ଟି୨୦ବିଶ୍ୱକପ ପାଇଁ ଧୋନୀ ତାଙ୍କ ଚୁଟି କାଟିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ତାଙ୍କ ଫ୍ୟାନ୍ସ ତାଙ୍କୁ ବିଭିନ୍ନ ପ୍ରକାର ହେୟାର ଷ୍ଟାଇଲରେ ଦେଖି ସାରିଛନ୍ତି। କିନ୍ତୁ ୨୦୨୩ରେ ସେ ପୁଣି ଥରେ ଲମ୍ବା ଚୁଟି ରଖି ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ଲମ୍ବା ଚୁଟି କାହିଁକି ରଖିଲେ ସେ ବିଷୟରେ କହିଛନ୍ତି। ଭିଡିଓଟି ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଗୋଟିଏ ଇଭେଣ୍ଟରେ ଯୋଗ ଦେଇ ଧୋନୀ କହିଛନ୍ତି, ଲମ୍ବା ଚୁଟି ରଖିବାର କାରଣ ମୋ ଫ୍ୟାନ୍ସ ଏହାକୁ ବହୁତ ପସନ୍ଦ କରନ୍ତି। ନୂଆ ହେୟାର ଷ୍ଟାଇଲ ରଖିବାରେ ବହୁତ ସମସ୍ୟା ହେଉଛି। ଯଦି ଆଗକୁ ଏପରି ସମସ୍ୟା ହୁଏ ତେବେ ଚୁଟି ଛୋଟ କରିଦେବି। ପ୍ରଥମେ ପ୍ରଥମେ ମୋତେ ପ୍ରସ୍ତୁତ ହେବାକୁ ୨୦ମିନିଟ ଲାଗୁଥିଲା। ଏବେ ଲମ୍ବା ଚୁଟି ପାଇଁ ୧ଘଣ୍ଟା ୧୦ମିନିଟ ଲାଗୁଛି। କେବଳ ମୋ ପ୍ରଶଂସକଙ୍କୁ ପସନ୍ଦ ବୋଲି ଏହି ଚୁଟି ରଖିଛି ବୋଲି ସେ କହିଛନ୍ତି।

ଧୋନୀଙ୍କ ଏହି ଲମ୍ବା ଚୁଟି ଦେଖି ଅନୁମାନ କରାଯାଉଛି କି, ସେ ଆଇପିଏଲ ୨୦୨୪ରେପୁଣି ଲମ୍ବା ଚୁଟିରେ ନଜର ଆସିବେ। କେବଳ ଧୋନୀଙ୍କ ପ୍ରଶଂସକ ନୁହନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରବେଜ ମୁଶାରଫ ମଧ୍ୟ ଧୋନୀଙ୍କ ଲମ୍ବା ଚୁଟିର ଫ୍ୟାନ ଥିଲେ।