ଏଣ୍ଟିଲିୟା ବୋମା ମାମଲାର ମାଷ୍ଟରମାଇଣ୍ଡ ପରମବୀର ସିଂ: ଅନିଲ ଦେଶମୁଖ

ନୂଆଦିଲ୍ଲୀ,୩ ।୨: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କୁ ଦେଇଥିବା ବୟାନରେ ଦାବି କରିଛନ୍ତି କି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ, ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ଘର ‘ଏଣ୍ଟିଲିୟା’ ସାମ୍ନାରେ ଗତ ବର୍ଷ ବିସ୍ଫୋରକ ଥିବା କାର ମିଳିବା ଘଟଣାର ମାଷ୍ଟରମାଇଣ୍ଡ ଥିଲେ । ଅର୍ଥ ହେରଫେର ମାମଲାରେ ଦେଶମୁଖଙ୍କ ଦାବି ଇଡିର ସପ୍ଲିମେଣ୍ଟାରି ଚର୍ଜସିଟର ଏକ ଅଂଶ ଯେଉଁଥିରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି)ର ବରିଷ୍ଠ ନେତା ଓ ତାଙ୍କ ଦୁଇ ପୁଅଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ସପ୍ଲିମେଣ୍ଟାରୀ ଚର୍ଜସିଟ ଗତବର୍ଷ ଡିସେମ୍ବରରେ ମୁମ୍ବାଇର ଏକ କୋର୍ଟରେ ଦାଖଲ କରାଯାଇଥିଲା । ଏନ୍‌ସିପି ନେତା ଇଡିକୁ ଦେଇଥିବା ବୟାନରେ ଏହି ଘଟଣାରେ ଅଭିଯୁକ୍ତ ଥିବା ପୂର୍ବତନ ସରକାରୀ ପୋଲିସ ଇନସପେକ୍ଟର ସଚିନ ୱାଜେଙ୍କୁ ଜାଣି ନ ଥିବା କହିଛନ୍ତି ।
ସୂଚନାଯୋଗ୍ୟ, ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନିଙ୍କ ଘର ନିକଟରେ ୨୫ ଫେବୃୟାରୀରେ ଏକ ସ୍କର୍ପିୟୋ ଗାଡିରେ ଜିଲେଟିନ ଛଡ ମିଳିଥିଲା । ଠାଣେର ବ୍ୟବସାୟୀ ମନସୁଖ ହିରନ ଦାବି କରିଥିଲେ କି ଏହି କାର ଗୋଟିଏ ସପ୍ତାହ ପୂର୍ବରୁ ଚୋରୀ କରାଯାଇଥିଲା । ଏହାପରେ ୫ ମାର୍ଚ୍ଚରେ ଠାଣେରେ ହିରନଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଥିଲା । ଏହାପରେ ପୂର୍ବତନ ସରକାରୀ ପୋଲିସ ଇନସପେକ୍ଟର ସଚିନ ୱାଜେଙ୍କ ମାର୍ଚ୍ଚ ୨୦୨୧ରେ ଗିରଫ କରାଯାଇଥିଲା ।