ରାଞ୍ଚି,୩ା୭: ଭାରତର ପୂର୍ବତନ ହକି ଖେଳାଳି ବିମଲ ଲାକ୍ରା ହସ୍ପିଟାଳରେ ଭର୍ତ୍ତି ହୋଇଛନ୍ତି। ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗଓ୍ବାର ଗୁରୁବାର ବିମଲଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏଥିସହିତ ସେ ବିମଲଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ସହ କଥା ହେବା ସହିତ ତାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି।
ଲାକ୍ରା ହକି ଫିଲ୍ଡରେ ଦେଶ ତଥା ରାଜ୍ୟ ପାଇଁ ଅନେକ ଗୌରବ ଆଣିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପୂରା ରାଜ୍ୟ ଚିନ୍ତିତ ଏବଂ ତାଙ୍କ ଆଶୁ ଆରୋଗ୍ୟ ଲାଗି ମୁଁ ପ୍ରାର୍ଥନା କରୁଛି ବୋଲି ଗଙ୍ଗଓ୍ବାର କହିଛନ୍ତି। ଗତ ୩୦ ତାରିଖରେ ସିମଡେଗା ଜିଲାରେ ଥିବା ପୈତୃକ ଘର ନିକଟସ୍ଥ ଫାର୍ମରେ ଅଚେତ ଅବସ୍ଥାରେ ୪୫ ବର୍ଷୀୟ ଲାକ୍ରାଙ୍କୁ ଠାବ କରାଯାଇଥିଲା। ତାଙ୍କୁ ସିମଦେଗା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସିଟି ସ୍କାନରୁ ତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଥିବା ଜଣାପଡ଼ିଥିଲା। ଏଥିଯୋଗୁ ତାଙ୍କୁ ବେସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।