Categories: Home Leftଖେଳ

ପୂର୍ବତନ ଫୁଟବଲର ହାକିମ୍‌ କରୋନା ପଜିଟିଭ୍‌

ନୂଆଦଲ୍ଲୀ,୧୬।୭(ପି.ଟି.): ଧ୍ୟାନଚାନ୍ଦ ପୁରସ୍କାର ପ୍ରାପ୍ତ ପୂର୍ବତନ ଫୁଟବଲର ସୟଦ ସହିଦ୍‌ ହାକିମ୍‌ କରୋନ ପଜିଟିଭ୍‌ ବୋଲି ଟେଷ୍ଟରୁ ଜଣା ପଡିଛି। ଏବେ ସେ ହାଇଦ୍ରାବାଦ୍‌ ସ୍ଥିତ ଏକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି। ୧୯୬୦ ରୋମ ଅଲିମ୍ପିକ୍ସ ଭାରତୀୟ ଦଳର ସଦସ୍ୟ ଥିବା ୮୧ ବର୍ଷୀୟ ହାକିମ୍‌ ବୁଧବାର ଏ ନେଇ ସୂଚନା ଦେଇଛନ୍ତି। ୬ ଦିନ ତଳେ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ୍‌ ବୋଲି ଜାଣିବାକୁ ପାଇଥିଲି। ଏବେ ହାଇଦ୍ରାବାଦ୍‌ର ଏକ ହୋଟେଲରେ ରହୁଛି। ଏହି ହୋଟେଲକୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରାଜ୍ୟ ସରକାର ରୂପାନ୍ତର କରିଛନ୍ତି ହାକିମ୍‌ କହିଛନ୍ତି। ଗତ ଦୁଇଦିନ ହେବ ସ୍ବାସ୍ଥ୍ୟରେ ଉନ୍ନତି ହେଉଛି ବୋଲି ଅନୁଭବ କରୁଛି। ଖୁବ୍‌ଶୀଘ୍ର ଟେଷ୍ଟରେ ମୋ ରିପୋର୍ଟ ନେଗେଟିଭ୍‌ ବାହରିବ ଓ ସୁସ୍ଥ ହୋଇ ଘରକୁ ଫେରିବି ବୋଲି ସେ କହିଛନ୍ତି।
କର୍ନାଟକର ଗୁଲବର୍ଗା ଯାତ୍ରା କରିବା ପରେ ଅସୁସ୍ଥ ହୋଇପଡିଥିଲି। ପରୀକ୍ଷାରେ ମୋତେ ନିମୁନିଆ ହୋଇଥିଲା ବୋଲି ଜଣା ପଡିଥିଲା। ଏହାପରେ କୋଭିଡ୍‌-୧୯ ଟେଷ୍ଟ କରିବାକୁ ମୋତେ ପରାମର୍ଶ ଦିଆଯାଇଥିଲା ଓ ଏହାର ଫଳ ପଜିଟିଭ୍‌ ବାହାରିଥିଲା। ୨୦୧୭ରେ ହାକିମ୍‌ଙ୍କୁ ଜୀବନ ବ୍ୟାପୀ ସାଧାନ ପାଇଁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯାଇଥିଲା। ପୂର୍ବରୁ ୨୦୧୧ରେ ଅନ୍ୟତମ ଭାରତୀୟ ଖେଳାଳି ଶବୀର ଅଲି ମଧ୍ୟ ଏହି ପୁରସ୍କାର ହାସଲ କରିଥିଲେ। ଅବସର ନେବା ପରେ ସେ ରେଫରି ଦାୟିତ୍ୱ ତୁଲାଇବା ସହ ୧୯୮୯ ପର୍ଯ୍ୟନ୍ତ ବିଭିନ୍ନ ଅନ୍ତର୍ଜାତୀୟ ମ୍ୟାଚ୍‌ ପରିଚାଳନା କରିଥିଲେ। ଏଥିରେ କାତାରରେ ଅନୁଷ୍ଠିତ ହୋଇଥିବା ୧୯୮୮ ଏଏଫ୍‌ସି ଏସିଆନ କପ୍‌ ସାମିଲ ରହିଥିଲା। ଏହାପରେ ସେ ନିଜ ପିତା ସୟଦ ଅବଦୁଲ ରହିମ୍‌ଙ୍କ ପଦାନୁସରଣ କରି କୋଚିଂରେ ମନୋବଳାଇଥିଲେ। ହାକିମ ମଧ୍ୟ ସ୍ପୋଟର୍‌ସ ଅଥରିଟୀ ଅଫ୍‌ ଇଣ୍ଡିଆ (ସାଇ)ରେ ଚିଫ୍‌ ପ୍ରୋଜେକ୍ସ ଡାଇରେକ୍ଟର ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି।