Categories: Home Leftଖେଳ

ଟ୍ରେକିଂବେଳେ ୨୫୦ ଫୁଟ୍‌ ତଳକୁ ଖସି ପୂର୍ବତନ କ୍ରିକେଟର୍‌ଙ୍କ ମୃତ୍ୟୁ

ମୁମ୍ବାଇ, ୨।୯: ମହାରାଷ୍ଟ୍ର ରଣ୍‌ଜୀ ଟ୍ରଫି ଦଳର ପୂର୍ବତନ ଖେଳାଳି ଶେଖର ଗାଓ୍ବଲି ୨୫୦ ଫୁଟ୍‌ ତଳକୁ ଗଭୀର ଖାତକୁ ଖସି ମୃତ୍ୟୁବରଣ କରିଛନ୍ତି। ବୁଧବାର ସକାଳେ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି। ଶେଖର ତାଙ୍କ ସାଙ୍ଗମାନଙ୍କ ସହ ମିଶି ନାଶିକର ଇଗାଟପୁରୀ ତାଲୁକାରେ ଟ୍ରେକିଂ କରିବାକୁ ଯାଇଥିଲେ। ଯେଉଁଠାରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ଟ୍ରେକିଂବେଳେ ସେ ୨୫୦ ଫୁଟ୍‌ ତଳକୁ ଖସି ପଡ଼ିଥିବା ଜଣାପଡ଼ିଛି। କିଛି ଗଣମାଧ୍ୟମ ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ, ସେ ସେଲ୍‌ଫି ନେବାବେଳେ ଏହି ଅଘଟଣ ଘଟିଥିଲା। ଶେଖର ଜଣେ ଅଲ୍‌ରାଉଣ୍ଡର ଭାବେ ମହାରାଷ୍ଟ୍ର ପକ୍ଷରୁ ୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ। ସେ ଡାହାଣହାତୀ ବ୍ୟାଟ୍ସମ୍ୟାନ ସହ ଲେଗ୍‌-ସ୍ପିନର ମଧ୍ୟ ଥିଲେ। ତାଙ୍କ ନାମରେ ୩ଟି ଉଇକେଟ୍‌ ରହିଛି। ସେ ମହାରାଷ୍ଟ୍ର ୨୩ ବର୍ଷରୁ କମ୍‌ ଦଳର ଫିଟ୍‌ନେସ କୋଚ୍‌ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ବିୟୋଗରେ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏଶନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।