ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କୁ ଦେଇଥିଲେ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

ବଡ଼ଗାଁ,୩ା୯(ଅଶୋକ ଷଡଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମର ମଦ ବିକ୍ରେତା ବିଷ୍ଣୁ କିଷାନ ପୂର୍ବତନ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ମିଞ୍ଜଙ୍କୁ ହତ୍ୟା ଧମକ ଦେଇ ମଙ୍ଗଳବାର ସନ୍ଧ୍ୟାରେ ଗିରଫ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ମଦ ଜବତ କରିଥିବା ଘଟଣାରେ ପୋଲିସକୁ ସୂଚନା ଦେଇଥିବା ସନ୍ଦେହ କରି ନୂଆଁଖାଇ ଦିନ ଠାରୁ ପ୍ରତିଦିନ ସନ୍ଧ୍ୟାରେ ବିଷ୍ଣୁ ପୂର୍ବତନ ବ୍ଲକ ଅଧ୍ୟକ୍ଷା ମିଞ୍ଜଙ୍କୁ ହତ୍ୟା, ବଳାତ୍କାର କରିବାକୁ ଗାଁ ଦାଣ୍ଡରେ ଧମକ ଦେବା ସହିତ ତାଙ୍କ ସ୍ବାମୀ ଓ ଶିଶୁକନ୍ୟାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଆସୁଥିଲେ।

ଏନେଇ ମିଞ୍ଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ମଙ୍ଗଳବାର ଏକ ମାମଲା କେସ ନଂ. ୨୩୩, ଦଫା ୧୨୬(୨)/୨୦୬/୩୫୧(୨)ବିଏନଏସ, ୧୨୬(୨), ୩୫(୨) ବିଏନଏସରେ ମାମଲା ରୁଜୁ କରିଛି। ଉଲ୍ଲେଖଯୋଗ୍ୟ ଯେ, ଏହି ଗ୍ରାମର ୧୦ଟି ସ୍ଥାନରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ଗ୍ରାମର ମହିଳାମାନେ ସଙ୍ଗଠିତ ହୋଇ ଏହାକୁ ବିରୋଧ କରିବାରୁ ମଦ ବିକ୍ରେତାଙ୍କ ଆକ୍ରୋଶର ଶିକାର ହେଉଛନ୍ତି।