କେନ୍ଦୁଝର,୨୪।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କାର୍ଯ୍ୟରେ ଅବହେଳା,ଅନିୟମିତତା,ସରକାରୀ ଅର୍ଥର ଦୂରୁପଯୋଗ ଏବଂ ପରିଚାଳନାଗତ ତ୍ରୁଟି ପାଇଁ କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ପଦ୍ମପୁର ମେଗା ନର୍ସରୀର ବନପାଳ ଜ୍ୟୋତ୍ସାରାଣୀ ବେହେରାଙ୍କୁ ଡିଏଫଓ ତାଙ୍କ କାର୍ଯ୍ୟାଳୟର ଚିଠି ସଂଖ୍ୟା ୨୫ ତା ୨୨/୦୧/୨୦୨୫ରେ ନିଲମ୍ବିତ କରିଛନ୍ତି। ନିଲମ୍ବନ ପରେ ତାଙ୍କୁ ବନଖଣ୍ଡ କାର୍ଯ୍ୟାଳୟରେ ଯୋଗ ଦେବାକୁ ଆଦେଶ ହୋଇଛି। ନିଲମ୍ବିତ ବନପାଳଙ୍କ ମୁଖ୍ୟ କାର୍ଯ୍ୟାଳୟ କେନ୍ଦୁଝର ଡିଭିଜନ ଅଫିସ ଧାର୍ଯ୍ୟ କରାଯାଇଛି। ପଦ୍ମପୁର ମେଗା ନର୍ସରୀରେ ଶ୍ରମିକ ନିୟୋଜନ କାର୍ଯ୍ୟରେ ସରକାରୀ ଅର୍ଥ ତୋଷାରପାତ କରିବା ସହ ନକଲି ଭାଉଚର,କାଗଜପତ୍ର ଦେଇଥିବା ଯାଂଚ ବେଳେ ଜଣାପଡିଛି।
ସଠିକ ତଦାରଖ ଏବଂ ରକ୍ଷଣାବେକ୍ଷଣ ଅଭାବରୁ ୨୦୦୦ ଚାରା ନଷ୍ଟ ହେବା ଫଳରେ ସରକାରଙ୍କ କ୍ଷତି ହୋଇଛି। ଉପରସ୍ଥ ବରିଷ୍ଠ ଅଧିକାରୀଙ୍କ ଆଦେଶକୁ ଅବମାନନା କରିଥିବାରୁ ବହୁ ଚାରା ନଷ୍ଟ ହୋଇଛି। ମେଗା ନର୍ସରୀ କ୍ୟାମ୍ପସ ପରିସର ଏବଂ ବାହାରେ ବହୁ ସଂଖ୍ୟାରେ ପଲିଥିନ ବ୍ୟାଗ ନଷ୍ଟ ହୋଇ ପଡିଛି। ଏତଦ୍ବ୍ୟତିତ ପୁରୁଣା ଚାରା ଏବଂ ନୂତନ ଭାବେ କାମ୍ପା ଅନୁଦାନରେ ଲାଗିଥିବା ଚାରାକୁ ଆବଶ୍ୟକ ପାଣି ଏବଂ ଜଗାରଖା ହୋଇନଥିବା ଚିଠିରେ ଉଲ୍ଲେଖ ରହିଛି। ନର୍ସରୀରେ ଥିବା ୪୦ହଜାର ଚାରାକୁ ଷ୍ଟକରେ ଦର୍ଶା ଯାଇ ନ ଥିବାବେଳେ ଏହାକୁ ଜାଣିଶୁଣି ଲୁଚାଯାଇଥିବା ଏବଂ ଉପରସ୍ଥ ଅଧିକାରୀଙ୍କୁ ରିପୋର୍ଟ କରାଯାଇନଥିବା ଜଣାପଡିଛି।
ଘଟଣାରୁ ପ୍ରକାଶଯେ, ଡିଏଫଓ ଧନରାଜ ଏଚଡି ପଦ୍ମପୁର ମେଗା ନର୍ସରୀକୁ ୧୦/୧୨/୨୦୨୪ରେ ମେଗା ନର୍ସରୀକୁ ପରିଦର୍ଶନରେ ଯିବା ସମୟରେ ଏହି ସବୁ ଅନିୟମିତତା ପରିଲକ୍ଷିତ ହୋଇଥିଲା ଏବଂ ସେହି ଅନିୟମିତତାକୁ ନେଇ ବନପାଳଙ୍କୁ ନିଲମ୍ବନ କରିଥିବା ଜଣାପଡିଛ।