ମହାକାଳପଡ଼ା,୫ା୨ (ପ୍ରତାପ ଚନ୍ଦ୍ର ସ୍ବାଇଁ)::କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ମୌଜା ୨୪ ଏକର ଗ୍ରାମ୍ୟ ଜଙ୍ଗଲ ଜମିରେ ସ୍ଥାନୀୟ ଅଞ୍ଚଳର ୨୦ରୁ ଅଧିକ ଚାଷୀ ଭାଗ କରି ପରିବାର ପୋଷଣ କରୁଥିଲେ। ଏହି ଜଙ୍ଗଲ କିସମ ଜମିକୁ ଚହୁ ବର୍ଷ ଧରି ହାବୁ ନନ୍ଦ ଦଖଲ କରି ସ୍ଥାନୀୟ ଚାଷୀଙ୍କୁ ଭାଗ ଦେଉଥିଲେ। ପରେ ଏହି ଜମିକୁ ହାବୁ ସ୍ଥାନୀୟ ଅଞ୍ଚଳର ଶିଶିର ରାଉତଙ୍କୁ ହସ୍ତାନ୍ତର କରିଥିଲେ। ହେଲେ ଶିଶିର ଭାଗ ଚାଷୀଙ୍କୁ ଚଳିତ ବର୍ଷ ଧାନ ଦେବା ପାଇଁ କହିଥିଲେ। ହାବୁଙ୍କଠାରୁ ଆମେ ଜମି ଚାଷ କରିବା ପାଇଁ ନେଇଛୁ। ତେବେ ହାବୁ ଜମି ପାଖକୁ ଆସି ତୁମକୁ ଧାନ ଫସଲ ଦେବୁ ବୋଲି କହିଥିଲେ। ହେଲେ ହାବୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନ ଥିବାରୁ କୋଲକାତାରେ ଚିକିତ୍ସିତ ହେଉଛନ୍ତି।
ଏହି ଘଟଣକୁ ନେଇ ୨୦୨୫ ଡିସେମ୍ବର ୧୯ା୨୦ ଓ ୨୧ ତାରିଖରେ ଚାଷୀ ଧାନ କାଟୁଥିବା ବେଳେ ଶିଶିର କେନ୍ଦ୍ରାପଡ଼ା ଉପ ଜିଲାପାଳଙ୍କ ସତନ୍ତ୍ର ନିର୍ଦ୍ଦେଶନାମା ମହାକାଳପଡ଼ା ତହସିଲଦାରଙ୍କୁ ପ୍ରଦାନ କରିଥିଲେ। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ମହାକାଳପଡ଼ା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ ଓ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ, ଏକ ପ୍ଲାଟୁନ ଫୋର୍ସ ସମେତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଏସ୍ଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ୨ ଶହ ଧାନ ବସ୍ତା ଜବତ କରି ତହସିଲ ଅଫିସ ଗୋଦାମ ଗୃହରେ ଗଚ୍ଛିତ ରଖିଥିଲେ। ପରେ ତହସିଲ ଅଫିସ ପକ୍ଷରୁ ଉକ୍ତ ଜବତ ଧାନର ନିଲାମ ପ୍ରକ୍ରିୟା ଆରମ୍ଭ କରିଥିଲେ। ବୁଧବାର ପୂର୍ବାହ୍ନ ୧୧ ଟାରେ ନିଲାମ ପ୍ରକ୍ରିୟା ଧାର୍ଯ୍ୟ ହୋଇଥିଲା। ତେବେ ଏହି ନିଲାମ ପ୍ରକ୍ରିୟାକୁ ରଦ୍ଦ କରିବା ପାଇଁ ପେଟଛେଲା ମୌଜାର ଅଦୈତ୍ୟ ମଣ୍ଡଳଙ୍କ ସମେତ ଅନ୍ୟାନ୍ୟ ୨୦ ଜଣ ଭାଗ ଚାଷୀ ଓଡ଼ିଶା ହାଇକୋର୍ଟରେ ରିଟ ପିଟିଶନ ପଞ୍ଜୀକୃତ ନମ୍ବର ୩୬୯୩/୨୦୨୬ ଦାଖଲ କରି ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ଉକ୍ତ ରିଟ୍ ପିଟିଶନକୁ ଗ୍ରହଣ କରି ନିଲାମରେ ରୋକ୍ ଲଗାଇବା ସହ ଚଳିତ ମାସ ୨୫ ତାରିଖରେ ପରବର୍ତ୍ତୀ ଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉଚ୍ଚ ନ୍ୟାୟାଳୟ କେନ୍ଦ୍ରାପଡ଼ା ସବ୍ଡିଭିଜିନାଲ ମାଜିଷ୍ଟ୍ରେଟ, ତହସିଲଦାର ମହାକାଳପଡ଼ା ଓ ଶିଶିର ରାଉତଙ୍କୁ ସତନ୍ତ୍ର ନୋଟିସ ଜାରି କରିଛନ୍ତି ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।
ଏ ସଂକ୍ରାନ୍ତରେ ମହାକାଳପଡ଼ା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟଙ୍କୁ ପଚାରିବରାରୁ ଜବତ ଧାନ ଫସଲ ନିଲାମ ପ୍ରକ୍ରିୟା ନୋଟିସ ବୁଧବାର କରାଯାଇଥିଲା। ଉଚ୍ଚ ନ୍ୟାୟାଳୟଙ୍କ ସତନ୍ତ୍ର ନିର୍ଦ୍ଦେଶନାମା ପହଞ୍ଚିଲା ପରେ ନିଲାମ ପ୍ରକ୍ରିୟା ବନ୍ଦ କରାଯାଇଛି ବୋଲି କହିଛନ୍ତି।