ଜଙ୍ଗଲ ପୃଥିବୀର ଅନ୍ୟତମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରିବେଶ ବ୍ୟବସ୍ଥା। ସବୁ ଭୂମିଗତ ଉଦ୍ଭିଦ, କୀଟପତଙ୍ଗ ଓ ପ୍ରାଣୀଙ୍କ ୮୦ ପ୍ରତିଶତ ବାସସ୍ଥାନ ହେଉଛି ଜଙ୍ଗଲ। ବିଶ୍ୱର ପାଖାପାଖି ଏକ ତୃତୀୟାଂଶ ଲୋକ ସେମାନଙ୍କ ଜୀବିକା ପାଇଁ ସିଧାସଳଖ ଏହା ଉପରେ ନିର୍ଭରଶୀଳ। ହେଲେ ଜଙ୍ଗଲକ୍ଷୟ ଦିନକୁ ଦିନ ବଢ଼ିଚାଲିଛି। ଜଙ୍ଗଲ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରି ତାହାକୁ ବିଶ୍ଳେଷଣ କରୁଥିବା ସଙ୍ଗଠନ ଗ୍ଲୋବାଲ ଫରେଷ୍ଟ ଓ୍ବାଚ୍ (ଜିଏଫ୍ଡବ୍ଲ୍ୟୁ)ର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୨୦୨୪ରେ ଭାରତ ୧୮,୨୦୦ ହେକ୍ଟରର ପ୍ରାକୃତିକ ଜଙ୍ଗଲ ହରାଇଛି। ୨୦୨୩ରେ ଏହା ୧୭,୭୦୦ ହେକ୍ଟର ପ୍ରାକୃତିକ ଜଙ୍ଗଲ ହରାଇଥିଲା। ଭାରତ ହରାଇଥିବା ଏହି ଜଙ୍ଗଲଗୁଡ଼ିକ ଅତି ପୁରୁଣା। ସାଧାରଣତଃ ଏଭଳି ଜଙ୍ଗଲ ହ୍ରାସ ଜଳବାୟୁ ପରିବର୍ତ୍ତନ, ମୃତ୍ତିକା କ୍ଷୟ, ଜୈବବିବିଧତା ହାନି ଓ ବାୟୁ ଗୁଣବତ୍ତାରେ ଅବନତି ଆଣିଥାଏ। ବିକାଶକୁ ଗୁରୁତ୍ୱ ଦିଆଯାଇ ଜଙ୍ଗଲ ଅଞ୍ଚଳକୁ ସଙ୍କୁଚିତ କରାଯାଉଛି । କିନ୍ତୁ କେଉଁ ଧରଣର ବନାଞ୍ଚଳ କମିବା ସତ୍ତ୍ୱେ ନିରନ୍ତର ବିକାଶ ହୋଇପାରିବ, ତାହା ଉପରେ ବିଧିବଦ୍ଧ ଅଧ୍ୟୟନ କରାଯାଉ ନ ଥିବାରୁ ମଣିଷ ଏବେ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନକୁ ସିଧାସଳଖ ଅନୁଭବ କଲାଣି। ଯଦି ଜିଏଫ୍ଡବ୍ଲ୍ୟୁର ରିପୋର୍ଟକୁ ଦେଖାଯାଏ ତାହା ହେଲେ ୨୦୦୧ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୨.୩୧ ମିଲିୟନ ହେକ୍ଟର ବୃକ୍ଷ ପରିବେଷ୍ଟିତ କ୍ଷେତ୍ର ନଷ୍ଟ ହୋଇସାରିଲାଣି। ଏହି ଅବଧି ମଧ୍ୟରେ ଦେଶରେ ବୃକ୍ଷ ପରିବେଷ୍ଟିତ କ୍ଷେତ୍ର ୭.୧ ପ୍ରତିଶତ ହ୍ରାସ ଘଟିଛି, ଯାହା ୧.୨୯ ଗିଗାଟନ ଅଙ୍ଗାରକାମ୍ଳ ନିର୍ଗମନ ସହ ସମାନ ବୋଲି କୁହାଯାଉଛି। ଏହା ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ।
ଜଙ୍ଗଲ ସଂରକ୍ଷଣ ଲାଗି ଭାରତ ଅନେକ କାର୍ଯ୍ୟକ୍ରମ ଜାରି ରଖିଛି। ଜଳବାୟୁ ପରିବର୍ତ୍ତନ ମୁକାବିଲା ସକାଶେ ଜାତୀୟ କାର୍ଯ୍ୟାନ୍ବୟନ ଯୋଜନା (ଏନ୍ଏପିସିସି), ସବୁଜ ଭାରତ ସକାଶେ ଜାତୀୟ ମିଶନ ଏବଂ କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା କର୍ତ୍ତୃପକ୍ଷ (କାମ୍ପା) ଆଦି କାର୍ଯ୍ୟକ୍ରମ ବନୀକରଣ, ନିରନ୍ତର ଜଙ୍ଗଲ ପରିଚାଳନା ଓ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିଆସୁଛି। ଏସବୁ ପଦକ୍ଷେପ ସତ୍ତ୍ୱେ ପ୍ରାକୃତିକ ଜଙ୍ଗଲକ୍ଷୟକୁ ରୋକିବା ସମ୍ଭବ ହେଉ ନାହିଁ। ଭାରତୀୟ ଜଙ୍ଗଲ ସମ୍ପଦକୁ ରକ୍ଷା କରିବା ଲାଗି ସ୍ଥାନୀୟ ସମ୍ପ୍ରଦାୟକୁ ସାମିଲ କରାଯାଇ ଏ ସମ୍ବନ୍ଧରେ ବାସ୍ତବ ତଥ୍ୟ ସଂଗ୍ରହ ସହ ସ୍ବଚ୍ଛ ଆକଳନ କରିବାର ଆବଶ୍ୟକତା ରହିଛି। ସରକାର ବିଭିନ୍ନ ପ୍ରକାର ଉନ୍ନୟନମୂଳକ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ସ୍ଥଳେ ଗଛ କାଟୁଛନ୍ତି। ସେହିପରି କମ୍ପାନୀଗୁଡ଼ିକ ପାଇଁ ଜଙ୍ଗଲ ନଷ୍ଟ ହେଉଛି। ଅନେକ ସମୟରେ ଦେଖାଯାଉଛି ଗଛ କାଟି କାରଖାନା ବସାଯାଉଥିବା ବେଳେ ବନୀକରଣ କାର୍ଯ୍ୟକୁ ଯେଭଳି କମ୍ପାନୀ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବା କଥା ତାହା ଦେଉନାହାନ୍ତି। କମ୍ପାନୀ ସାମାଜିକ ଦାୟିତ୍ୱବୋଧ(ସିଏସ୍ଆର୍) ଅନେକ ସମୟରେ ପ୍ରହସନରେ ରହିଯାଉଛି। ତେଣୁ ସରକାର ଜଙ୍ଗଲ କ୍ଷୟ ଓ ବନୀକରଣ ସମ୍ବନ୍ଧରେ ଠିକ୍ ତଥ୍ୟ ସଂଗ୍ରହ କରି ତାହାର ବିଶ୍ଳେଷଣ କରିବାର ସମୟ ଆସିଲାଣି।
ଏହି ପରିପ୍ରେକ୍ଷୀରେ ସରକାର ଓ କମ୍ପାନୀ ସହିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଚେତନ ହେବାକୁ ପଡ଼ିବ। ନିଜେ ନିଜ ସ୍ତରରେ ଅଧିକ ଚାରା ରୋପଣ କରିପାରିଲେ ନିଜ ପରିବେଷ୍ଟନୀ ସୁରକ୍ଷିତ ରହିପାରିବ। ନିଜେ ବଢ଼ାଇଥିବା ଗଛକୁ ଜଣେ କଦାପି କାଟିବାକୁ ଚେଷ୍ଟା କରିବ ନାହିଁ ବୋଲି କୁହାଯାଇପାରେ। ଯେତିକି ଚାଷ ଜମି ଅଛି ତାହାକୁ ଉପଯୁକ୍ତ ଭାବେ କିଭଳି ବିଭିନ୍ନ ପଦ୍ଧତି ଅନୁସରଣ କରାଯାଇ ବ୍ୟବହାର କରାଯାଇପାରିବ, ତାହା ଉପରେ ପ୍ରାଧାନ୍ୟ ଦିଆଯିବା ଉଚିତ। ନିରନ୍ତର କୃଷି ବିକାଶ ଚିନ୍ତା ସୃଷ୍ଟି ହୋଇପାରିଲେ ଚାଷ କ୍ଷେତ୍ର ବିସ୍ତାର ଲାଗି ଜଙ୍ଗଲ ପଦା କରିବାର ଆବଶ୍ୟକତା ପଡ଼ିବ ନାହିଁ। ପ୍ରାକୃତିକ ଜଙ୍ଗଲ କ୍ଷୟକୁ ରୋକିବାକୁ ହେଲେ ସେହିସବୁ ଅଞ୍ଚଳକୁ ଜାତୀୟ ପାର୍କ ବା ସଂରକ୍ଷିତ ବନାଞ୍ଚଳ ଘୋଷଣା କରାଯିବା ଦରକାର। ଉଦାହରଣ ସ୍ବରୂପ, ବ୍ରାଜିଲ, ଇଣ୍ଡୋନେସିଆ ଓ କଙ୍ଗୋ ଆଦି ଦେଶରେ ଏଭଳି ପଦ୍ଧତି ଅନୁସରଣ କରାଯାଇ ଜଙ୍ଗଲ କ୍ଷୟକୁ ରୋକାଯାଇପାରିଛି। ଏହା କରାଗଲେ ସେହି ଅଞ୍ଚଳରେ ବେଆଇନ ଗଛ କଟାକୁ ଅନେକ ପରିମାଣରେ ରୋକାଯାଇପାରିବ। ବିଶ୍ୱ ପ୍ରେକ୍ଷାପଟକୁ ଦେଖି କୁହାଗଲାଣି ଯଦି ଜଙ୍ଗଲ ଧ୍ୱଂସ କ୍ରମାଗତ ଭାବେ ବଢ଼ିଚାଲେ, ତେବେ ଏବେଠାରୁ ୮୦ ବର୍ଷ ପରେ ଆମ ସବୁଜ ଗ୍ରହ ଜଙ୍ଗଲଶୂନ୍ୟ ହୋଇଯିବ। କାରଣ ଜଙ୍ଗଲକ୍ଷୟ ଯୋଗୁ ବିଶ୍ୱ ପ୍ରତି ମିନିଟ୍ରେ ୩୦ଟି ଫୁଟବଲ ପଡ଼ିଆର ଜଙ୍ଗଲାୟତନ ହରାଇବସୁଛି। ଅତଏବ ଭାରତରେ ବର୍ତ୍ତମାନ ସମୟରେ ବନୀକରଣକୁ ଗୁରୁତ୍ୱ ଦିଆଯିବା ସହ ପ୍ରାକୃତିକ ଜଙ୍ଗଲ କ୍ଷୟକୁ ରୋକିବା ଲାଗି ପ୍ରତି ସ୍ତରରେ ସଂଯୁକ୍ତ ପ୍ରୟାସ ହେଲେ ଯାଇ ମଣିଷ ସମେତ ପ୍ରାଣୀଜଗତ ତିଷ୍ଠି ପାରିବ।