ଭଞ୍ଜନଗର,୧୬ା୧୦(ବାବୁଲା ପ୍ରଧାନ): ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ୧୧ ଓ ୧୨ ତାରିଖ ଦୁଇଦିନ ଧରି ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ୍ ମିଟ୍ ୨୦୨୫ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ବନଖଣ୍ଡରୁ ଆସିଥିବା ଶତାଧିକ ବନରକ୍ଷୀ, ବନପାଳ, ଡେପୁଟି ରେଞ୍ଜର, ରେଞ୍ଜର, ଏସିଏଫ୍, ଡିଏଫ୍ଓ, କର୍ମଚାରୀ ପ୍ରମୁଖ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପଦକ ବିଜୟୀ ହୋଇଛନ୍ତି ।
ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡକୁ ୬ଟି ପଦକ ମିଳିଥିବା ବେଳେ ଘୁମୁସର ଦକ୍ଷିଣ ବନଖଣ୍ଡକୁ ୮ଟି ପଦକ ମିଳିଛି। ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରିଣୀ ବିପାସା ପାରୁଲ (ଆଇ.ଏଫ୍.ଏସ୍) ଟେବୁଲ ଟେନିସ୍ରେ ସ୍ବର୍ଣ୍ଣ ଓ ରୌପ୍ୟ ଦୁଇଟି ପଦକ ପାଇଛନ୍ତି। ଏଥିସହ ବନରକ୍ଷୀ ଚୁମ୍କି ନାୟକ ଚେସ୍ରେ ସ୍ବର୍ଣ୍ଣ ଏବଂ ରୌପ୍ୟ ଦୁଇଟି ପଦକ ପାଇଛନ୍ତି। ରାଜ କିଶୋର ବେହେରା ଲଙ୍ଗ୍ଜମ୍ପ୍ ଏବଂ ଟ୍ରିପଲ ଜମ୍ପ୍ରେ ସ୍ବର୍ଣ୍ଣ ଏବଂ ରୌପ୍ୟ ଦୁଇଟି ପଦକ ବିଜୟୀ ହୋଇଛନ୍ତି। ଧନେଶ୍ୱର ମିଞ୍ଜ୍ ୮୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ, ପିଣ୍ଟୁ ସେଠୀ ସାଇକେଲ ଚାଳନାରେ ସିଲଭର୍ ପଦକ ବିଜୟୀ ହୋଇଛନ୍ତି।
ସେହିଭଳି ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ଡେପୁଟି ରେଞ୍ଜର ପ୍ରଶାନ୍ତ ବେହେରା ୨ଟି ପଦକ ବିଜୟୀ ହୋଇଥିବା ବେଳେ ବନରକ୍ଷୀ ପି. ମୋହନ ଗୋଟିଏ, ସୋନମ କହଁର ୨ଟି ଓ ବନପାଳ ଦିଲ୍ଲୀପ ଦାସ ଗୋଟିଏ ପଦକ ବିଜୟୀ ହୋଇଛନ୍ତି। ଦୁଇ ବନଖଣ୍ଡର କର୍ମଚାରୀ ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ ମିଟ୍ରେ ପଦକ ବିଜୟୀକୁ ନେଇ ସମସ୍ତ କର୍ମଚାରୀ ଖୁସିବ୍ୟକ୍ତ କରିଛନ୍ତି।