ଥୁଆମୂଳ ରାମପୁର, ୨୯।୧ (ଦୁର୍ଗା କୀର୍ତ୍ତି): ସରକାରୀ ପ୍ରକଳ୍ପରୁ ସାମଗ୍ରୀ ଚୋରି କରିବା ଚୋରଙ୍କୁ ମହଙ୍ଗା ପଡ଼ିଛି। ଗୋପାଳପୁର ପଞ୍ଚାୟତ ସ୍ଥିତ ପାଟଜୋର ଡଙ୍ଗର ବନୀକରଣ ପ୍ରକଳ୍ପରୁ ଲୁହା ଖୁଣ୍ଟ ଓ ତାରବାଡ଼ ଚୋରି କରୁଥିବା ବେଳେ ବନ ବିଭାଗ ଟିମ୍ ଏବଂ ନାଇଟ୍ ୱାଚର୍ (Night Watcher) ମାନଙ୍କ ସହାୟତାରେ ୪ ଜଣ ଚୋରଙ୍କୁ ଧରାଯାଇଛି। ଅଟକ ଅଭିଯୁକ୍ତମାନେ ହେଲେ କାଶିପୁର ଥାନା ଝୁଲକାଗୁଡା ଗ୍ରାମର ଦେବ ଗୌଡ (୨୬), ଶ୍ରୀରାମ ଗୌଡ (୪୫), ବାସୁ ଗୌଡ (୩୮) ଓ ଜଗନ୍ନାଥ ଗୌଡ (୩୧)।
ଆର୍ଥିକ ବର୍ଷ ୨୦୨୪-୨୫ରେ ‘କାମପା’ (CAMPA) ଯୋଜନାରେ କୁମଯୋର ଗ୍ରାମ ନିକଟସ୍ଥ ପାଟଜୋର ଡଙ୍ଗରର ୩୦ ହେକ୍ଟର ଜାଗାରେ କାଜୁ, ପଣସ, ଶିଶୁ ଓ ବାଉଁଶ ଭଳି ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରାଯାଇଥିଲା। ଏହାର ସୁରକ୍ଷା ପାଇଁ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟରେ ୨୮୦ଟି ଲୁହା ଖୁଣ୍ଟ ଓ ୬୦ଟି ତାର ଜାଲି ଦିଆଯାଇଥିଲା। ତେବେ ଗତ କିଛି ଦିନ ହେବ ଏଠାରୁ ଲଗାତାର ଚୋରି ହେଉଥିବା ବେଳେ ପୂର୍ବରୁ ୪୦ଟି ଖୁଣ୍ଟ ଓ ୧୦ଟି ଜାଲି ଚୋରି ହୋଇସାରିଥିଲା। ଚୋରଙ୍କୁ ଧରିବା ପାଇଁ ରେଞ୍ଜ ଅଧିକାରୀ ତ୍ରିନାଥ ସେଠୀଙ୍କ ତତ୍ତ୍ୱାବଧାନ ଓ ବନପାଳ ଏକାଦଶୀ ନାଏକଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ଓ ନାଇଟ୍ ୱାଚର୍ମାନେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ରାତି ତମାମ ଜଗି ରହିଥିଲେ।
ବୁଧବାର ରାତିରେ ଅଭିଯୁକ୍ତମାନେ ପୁଣି ଥରେ ୪୦ଟି ଲୁହା ଖୁଣ୍ଟ ଓ ୧୦ଟି ତାର ଜାଲି ଚୋରି କରୁଥିବା ସମୟରେ ଟିମ୍ ସେମାନଙ୍କୁ ଘେରି ଯାଇ କାବୁ କରିଥିଲେ। ବନ ବିଭାଗ ପକ୍ଷରୁ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ କେସ୍ ନମ୍ବର ୧୬/୨୬ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।