ଝରିଗାଁ,୧୬ା୫(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ହାତିବାଡ଼ି ଗ୍ରାମର ଜଗନ୍ନାଥ ସାନ୍ତା ବେନିୟମ ଭାବେ ମାଟି ଓ ଇଟା ଦ୍ୱାରା ଘର ନିର୍ମାଣ କରୁଥିଲେ। କୌଣସି ପ୍ରକାରେ ଝରିଗାଁ ବନ ବିଭାଗ ଖବର ପାଇ ଝରିଗାଁ ଫରେଷ୍ଟର, ଫରେଷ୍ଟ ଗାର୍ଡ, ଓ୍ବାଇଲ୍ଡ ଲାଇଫ୍ ଟିମ୍ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସଂରକ୍ଷିତ ଜଙ୍ଗଲରେ ନୂତନ ଘର ନିର୍ମାଣକୁ ନେଇ ବାରଣ କରିଥିଲେ। ତେବେ ଜଗନ୍ନାଥ ସାନ୍ତାଙ୍କ ପରିବାର ସହ ବନ ବିଭାଗ କର୍ମଚାରୀମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଜଗନ୍ନାଥ ସାନ୍ତାଙ୍କ ସହ ପୁଅ କୃଷ୍ଣ ସାନ୍ତା ଏବଂ ସେଠାରେ କାମ କରୁଥିବା ଅନ୍ୟ ଦୁଇ ଜଣ ଶ୍ରମିକ ବନବିଭାଗ କର୍ମଚାରୀ ଉପରେ ଆକ୍ରମଣ କରିଥିଲେ।
ଆକ୍ରମଣରେ ଫରେଷ୍ଟ ଗାର୍ଡ ରାଜୁ ମଣ୍ଡଳ ତଳେ ପଡ଼ିଯିବାର ସୁଯୋଗ ପାଇ ଜଗନ୍ନାଥ ସାନ୍ତା ଇଟା ସାହାଯ୍ୟରେ ରାଜୁଙ୍କୁ ଆକ୍ରମଣ କରିଥିଲେ। ଫଳରେ ରାଜୁଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା। ସେହିପରି ବନ କର୍ମଚାରୀମାନଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯେକୌଣସି ପ୍ରକାରେ ସେଠାରୁ ଫେରି ଆସି ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରାଜୁ ମଣ୍ଡଳଙ୍କ ଚିକିତ୍ସା କରାଇଥିଲେ। ଘଟଣା ନେଇ ରେଞ୍ଜର ଗୋବିନ୍ଦ ନାୟକ ଡିଏଫ୍ଓ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କୁ ଅବଗତ କରାଇବା ପରେ ତୁରନ୍ତ ଝରିଗାଁ ଆସି ଘଟଣାର ତଦନ୍ତ କରିଥିଲେ। ସେହିପରି ରାଜୁ ଘଟଣା ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଝରିଗାଁ ଥାନା କେସ୍ ନମ୍ବର ୭୬/୨୫ରେ ଏକ ମାମଲା ରୁଜୁ କରାଯାଇଛି। ଥାନା ଅଧିକାରୀ ପ୍ରଦୀପ କୁମାର ଶବର ଘଟଣା ସମ୍ପର୍କରେ ତଦନ୍ତ ଚଳାଇଛନ୍ତି।