ଜଙ୍ଗଲ ଅଭିବୃଦ୍ଧି ଓ ବନ୍ୟପ୍ରାଣୀ ସୁରକ୍ଷା

ସୁଧୀର କୁମାର ନାୟକ

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଡେରାଡ଼ୁନସ୍ଥିତ ସ୍ବୟଂଶାସିତ ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ସଦ୍ୟ ପ୍ରକାଶିତ ତଥ୍ୟ ଅନୁସାରେ ୨୦୧୯-୨୦ ଆର୍ଥତ୍କ ବର୍ଷରେ ଓଡ଼ିଶାରେ ୫୩୭.୪୪ ବର୍ଗ କି.ମି. ଜଙ୍ଗଲ ବୃଦ୍ଧି ଘଟିଛି। ଦେଶରେ ଜଙ୍ଗଲ ବୃଦ୍ଧିର ତୃତୀୟ ରାଜ୍ୟ ଭାବେ ଓଡ଼ିଶା ଏହି ସଫଳତା ପାଇଥିବା ବେଳେ ଜଙ୍ଗଲାଞ୍ଚଳ ବୃଦ୍ଧିରେ ଆନ୍ଧ୍ର ଓ ତେଲଙ୍ଗାନା ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତେବେ ଗତ ୨ ବର୍ଷ ତଳେ ଆର୍ଥିକ ବର୍ଷ ୨୦୧୭-୧୮ରେ ରାଜ୍ୟରେ ଜଙ୍ଗଲ ଅଭିବୃଦ୍ଧି ୨୩୭ବର୍ଗକି.ମି. ଥିବାବେଳେ ୨୦୧୯-୨୦ ବର୍ଷରେ ପାଖାପାଖି ୨ଗୁଣ କ୍ରମାଗତ ବୃଦ୍ଧି ହେବା ଆଶ୍ୱସ୍ତିିକର। ଜଙ୍ଗଲ ବନୀକରଣ, ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଚାରା ରୋପଣ ଓ ଜଙ୍ଗଲ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକର ସଫଳତା ବୋଲି ଧରାଯାଇପାରେ। ଓଡ଼ିଶାରେ ସମୁଦାୟ ଭାୈଗୋଳିକ ଅଞ୍ଚଳ ମଧ୍ୟରୁ ୩୩.୫୦% ଜଙ୍ଗଲ ଆଚ୍ଛାଦିତ ରହିଛି। ଏକ ତୃତୀୟାଂଶ ଅଞ୍ଚଳ ଜଙ୍ଗଲ ଓ ବୃକ୍ଷଲତାରେ ସବୁଜିମା ପରିଶେଷ ସୃଷ୍ଟି କରିବାରେ ଓଡ଼ିଶା ଜାତୀୟ ସ୍ତରରେ ସ୍ବୀକୃତିଲାଭ ପାଇଛି। ଏବେ ରାଜ୍ୟରେ ମୋଟ ୭୨୧୨. ୮ ବର୍ଗ କି.ମି. ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଥିବାବେଳେ ୨୦୯୯୪ ବର୍ଗକି.ମି ଅଞ୍ଚଳରେ ମଧ୍ୟମ ଧରଣର ଜଙ୍ଗଲ ଅଛି। ଅନ୍ୟ ଏକ ସଫଳତା ହେଲା, ଗତ ୨ ବର୍ଷ ମଧ୍ୟରେ ହେନ୍ତାଳ ବଣ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ସ୍ଥାନରେ ଅଛି। ଲଗାତର ପ୍ରତ୍ୟେକ ବର୍ଷ ସାମୁଦ୍ରିକ ବାତ୍ୟା, ଝଡ଼ ସତ୍ତ୍ୱେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଥିବା ଲୁଣା ଜଙ୍ଗଲ ଅଞ୍ଚଳର ଆୟତନ ବୃଦ୍ଧି ନିଶ୍ଚିତ ଜଳବାୟୁ ପରିବେଶ ଉପରେ ଭଲ ପ୍ରଭାବ ପକାଇବ। ଜୈବ ବିବିଧତା ଉତ୍ସକୁ ଅକ୍ଷୁଣ୍ଣ ରଖିବ।
ଉଦ୍‌ବେଗର ବିଷୟ ହେଲା, ବଣ୍ୟପ୍ରାଣୀଙ୍କ ବାସସ୍ଥଳୀ, ଜଙ୍ଗଲ ଆୟତନର କ୍ରମାଗତ ଅଭିବୃଦ୍ଧି ଘଟିବାର ରିପୋର୍ଟ ପ୍ରକାଶ ପାଇଲେ ମଧ୍ୟ ବଣ୍ୟପ୍ରାଣୀଙ୍କ ବିପଦ ଓ ମୃତ୍ୟୁ ହ୍ରାସ ପାଉନାହିଁ। ଜଙ୍ଗଲ ଆୟତନ ବୃଦ୍ଧିର ତଥ୍ୟ ଜଙ୍ଗଲ ସର୍ବେକ୍ଷଣ ପରିବେଶ ବିଭାଗ ଦେଲେ ମଧ୍ୟ ପ୍ରତ୍ୟେକ ବର୍ଷ ବିଭିନ୍ନ କାରଣ ଯୋଗୁ କେତେ ଜଙ୍ଗଲ ଧ୍ୱଂସ ହେଉଛି ତା’ର ତଥ୍ୟ ଦେଉନାହିଁ। ଜଙ୍ଗଲ ଓ ଅନ୍ୟାନ୍ୟ ବିଭାଗ ଦ୍ୱାରା ରୋପଣ କରାଯାଇଥିବା ଚାରାଗୁଡ଼ିକ ପରବର୍ତ୍ତୀ ସମୟରେ ଉପଯୁକ୍ତ ରକ୍ଷଣାବେକ୍ଷଣ, ପାଣି, ବାଡ଼ ଅଭାବରୁ ମରିଯାଉଛି। ଏଥିପାଇଁ ଜଙ୍ଗଲ ବିଭାଗ ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିବାର ହିସାବ ଦେଉଥିବାବେଳେ ଗଛ ମରିଯିବାର ହିସାବ ରଖୁନାହିଁ। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଅବିଭକ୍ତ କୋରାପୁଟ, ଢେଙ୍କାନାଳ, ଅନୁଗୋଳ, ସୁନ୍ଦରଗଡ଼, କଳାହାଣ୍ଡି ଆଦି ଜିଲାରେ ବନୀକରଣ କାମ ସେପରି ଉନ୍ନତି ଘଟିନାହିଁ। ଅପରପକ୍ଷେ ପ୍ରତ୍ୟେକ ବର୍ଷ ସେହିସବୁ ଜିଲାଗୁଡ଼ିକରେ ବନୀକରଣ ନିମନ୍ତେ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ବନ୍ୟଜନ୍ତୁଙ୍କ ପାଇଁ ଏହିସବୁ ଜିଲାଗୁଡ଼ିକ ବଡ଼ ବିପଦ ଦେଖାଦେଉଛି। ଚଳିତମାସ କ୍ରମାଗତ ଭାବେ ୮ ଗୋଟି ବନ୍ୟଜନ୍ତୁ ଶିକାର ଓ ମୃତ୍ୟୁ ମାମଲା କେସ୍‌ ରୁଜୁ ହେବା ପରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ବନ ବିଭାଗ କିପରି ନେଉଛି, ଜଳଜଳ ଦେଖାଯାଉଛି। କଟକ ଜିଲା, ତିଗିରିଆ ବନଖଣ୍ଡ ଅନ୍ତର୍ଗତ ଭିରୁଡ଼ା ପଞ୍ଚାୟତର ବନ୍ଧାଣ ତଇଲା ଶିକାରୀ ଫାସରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ ଜଣାପଡ଼ିଥିଲା। ସେହିଦିନ ବରଗଡ଼ ଭେଡେନ ରାସ୍ତାରୁ ଜଣେ ଶିକାରୀଠାରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ବେପାରୀଙ୍କୁ ଗିରଫ କରାଯାଇଥିଲା। ଠିକ୍‌ ଏହାର ପରଦିନ ଅର୍ଥାତ୍‌ ଜାନୁୟାର ୧୫ରେ ମୟୂରଭଞ୍ଜ ବେତନଟିରୁ ୨ ଶିକାରୀଙ୍କ ପାଖରୁ ଶିମିଳିପାଳରୁ ଶିକାର କରାଯାଇଥିବା ୨ଟି ବାଘଛାଲ ଜବତ କରାଯାଇଥିଲା। ସେହିପରି ଜାନୁୟାରୀ ୬ରେ ଦେବଗଡ଼, ତିଲେଇବଣି , ବରଘାଟରୁ ବାଘଛାଲ, ହାତୀଦାନ୍ତ , ବଜ୍ରକାପ୍ତା କାତି ସହ ମାଫିଆ ଗିରଫ ହୋଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି, ଅଭୟାରଣ୍ୟ ସହ ସଂରକ୍ଷିତ ଜଙ୍ଗଲକୁ ଶିକାରୀ ଏବଂ ମାଫିଆମାନେ କେମିତି କବ୍‌ଜା କରି ନେଉଛନ୍ତି।
ଏସ୍‌ଟିଏଫ୍‌ ରିପୋର୍ଟ ଅନୁସାରେ ମାତ୍ର ୨ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ବନାଞ୍ଚଳ ମଧ୍ୟରୁ ୨୬ଟି କଲରାପତରିଆ ବାଘ ଛାଲ,୧୩ ହାତୀଦାନ୍ତ, ୭ ହରିଣ ଛାଲ, ୧୬ କେ.ଜି. ବଜ୍ରକାପ୍ତାର କାତି, ୯ ଜୀବନ୍ତ ବଜ୍ରକାପ୍ତା ଜବତ କରାଯାଇଥିବା ବେଳେ ୫୫ ରୁ ଅଧିକ ଶିକାରୀ ମାଫିଆଙ୍କୁ ଗିରଫ କରାଯାଇଛି। କହିବାକୁ ଗଲେ ଏହାଠାରୁ ଅଧିକ ଜନ୍ତୁ ଶିକାର ହେଉଥିଲେ ବି ବନ ବିଭାଗ ଅପରାଗତା ଯୋଗୁ ଶିକାରୀମାନେ ଧରାପଡୁ ନାହାନ୍ତି। ଗତ ୫ ବର୍ଷ ମଧ୍ୟରେ ୮୦୨ ବନ୍ୟପ୍ରାଣୀ ଶିକାର ମାମଲାରେ ୩୨୪୮ଜଣ ଗିରଫ ହୋଇଥିଲେ ମଧ୍ୟ ଜଣକୁ ବି ଆଜିପର୍ଯ୍ୟନ୍ତ ଦଣ୍ଡାଦେଶ ହୋଇପାରିନାହିଁ। ସେହିପରି ଏକଦା ମହାବଳ ବାଘ ପାଇଁ ଖ୍ୟାତ ଥିବା ଶିମିଳିପାଳରେ ବାଘ ଦୃଶ୍ୟ ହେବାଟା ଭାଗ୍ୟର କଥା ହୋଇଛି। ତଥ୍ୟ ଅନୁସାରେ ୨୦୦୬ରେ ୧୦୧ଟି ବାଘ ଥିଲାବେଳେ ଏବେ ଜଙ୍ଗଲ ବିଭାଗ ତଥ୍ୟ ଅନୁସାରେ ମାତ୍ର ଅଛନ୍ତି ୨୮। ତାହା ବି କେତେଦୂର ଠିକ୍‌ ଏକ ପ୍ରଶ୍ନବାଚୀ? ରାଜ୍ୟର ଅନ୍ୟ ଏକ ଗାୈରବ ସାତକୋଶିଆ ଅଭୟାରଣ୍ୟରେ ଆଉ ଧଳା ହରିଣ ଦେଖାଯାଉନାହିଁ। ବାଘର ମଧ୍ୟ ଦୃଶ୍ୟ ହେଉନାହିଁ। ଅନ୍ୟାନ୍ୟ ପଶୁପକ୍ଷୀଙ୍କ ସଂଖ୍ୟା ବି ଠିକ୍‌ କେତେ ଜଣାପଡ଼ୁନାହିଁ। ଏଠାରେ ମଧ୍ୟ ଶିକାରୀମାନଙ୍କ ପ୍ରାଦୁର୍ଭାବ ରହିଛି। ସେହିପରି ରାଜ୍ୟରେ ବଜ୍ରକାପ୍ତା ଶିକାରୀମାନେ କୋଟି କୋଟି ଟଙ୍କାର କାତି ଚୋରା ଚାଲାଣ କରିଥାନ୍ତି। ଓଡ଼ିଶାରୁ ପଶ୍ଚିମବଙ୍ଗ ଦେଇ ଚାଇନା, ମ୍ୟାନମାର, ବାଂଲାଦେଶ, ଦକ୍ଷିଣଆଫ୍ରିକା ପର୍ଯ୍ୟନ୍ତ ର଼୍ୟାକେଟର ଚେର ଲମ୍ବିଛି। ୨୦୨୧ ଜୁଲାଇ ୨୪ରେ ଢେଙ୍କାନାଳ ବନଖଣ୍ଡ ଅଧୀନ କପିଳାସ ରେଞ୍ଜରେ ଏକାଥରେ ସର୍ବାଧିକ ୧୪୦୨କି.ଗ୍ରା. ବଜ୍ରକାପ୍ତା କାତି ଜବତ କରାଯାଇଥିଲା। କିନ୍ତୁ ଉଦ୍‌ବେଗର ବିଷୟ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ବହୁବାର ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କୁ ଚିଠି ଦ୍ୱାରା ଅବଗତ କରାଗଲେ ମଧ୍ୟ ବନ ବିଭାଗ ୨୦ରୁ ଅଧିକ ମାମଲା ଏସ୍‌ଟିିଏଫ୍‌କୁ ହସ୍ତାନ୍ତର କରୁନାହିଁ କାହିଁକି ? ଏଥିରୁ ସ୍ପଷ୍ଟ ହେଉଛି ଯେ ବନ ବିଭାଗ ମାମଲାଗୁଡ଼ିକୁ ଗୁରୁତ୍ୱ ନ ଦେବା ପଛରେ କିଛି ରହସ୍ୟ ରହିଛି। ଫଳରେ ସେହି ଶିକାରୀମାନେ ଜଙ୍ଗଲରେ ଖୁଲମଖୁଲା ବୁଲିବା ସହ ଶିକାର ମଧ୍ୟ କରୁଛନ୍ତି। ୱାଇଲ୍ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା ତଥ୍ୟ ଅନୁଯାୟୀ ୨୦୧୮ ଅଗଷ୍ଟରୁ ଏ ପର୍ଯ୍ୟନ୍ତ ରାଜ୍ୟର ୧୪ଟି ଜିଲାରେ ମୋଟ ୨୬ଟି ମାମଲାରେ ୨୭ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି, କିନ୍ତୁ ଅପରାଧରେ ଜଡ଼ିତ ଶିକାରୀମାନଙ୍କୁ ଉଚିତ ଦଣ୍ଡ ମିଳିପାରିନାହିଁ।
ଗତ ୪ବର୍ଷ ଧରି ବନ୍ୟଜନ୍ତୁଙ୍କ ସହ ଲୋକମାନଙ୍କର ମୁହାଁମୁହିଁ ହୋଇ ୫୦୦ରୁ ଅଧିକ ଜୀବନ ଗଲାଣି। ଏହାସହ ୧୦୩୧ ଜଣ ଆହତ ହୋଇଛନ୍ତି। ୬୫୬୩ ଲୋକ ବାସହରା ହୋଇଥିବା ବେଳେ ୪୬୮୫୭ ଏକର ଫସଲ ବନ୍ୟଜନ୍ତୁମାନଙ୍କ ଦ୍ୱାରା ନଷ୍ଟ ହୋଇଛି। ଏଥିପାଇଁ ୧୩୮୪୨୯ ଜଣ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ଜଙ୍ଗଲ ବିଭାଗ ଦେଇଛି। ତେବେ ରାସ୍ତା ପାର୍ଶ୍ୱରେ ଚାରା ରୋପଣ କରି ସବୁଜିମା ଆୟତନ ବୃଦ୍ଧି କରିବା ପରିବେଶ ପାଇଁ ଯେତିକି ହିତକର, ବନ୍ୟଜନ୍ତୁମାନଙ୍କୁ ଶିକାରୀ ଓ ଅନ୍ୟାନ୍ୟ ବିପଦରୁ ସୁରକ୍ଷା ଦେବା ବନ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ପ୍ରାକୃତିକ ଜଙ୍ଗଲର ସଂରକ୍ଷଣ ଏବଂ ଧ୍ୱଂସ ପାଉଥିବା ଜଙ୍ଗଲର ପୁନରୁଦ୍ଧାର ନ ହେଲେ ବନ୍ୟପ୍ରାଣୀ ରହିବେ କେଉଁଠି। ଖରାଦିନେ ଜଙ୍ଗଲ ମଧ୍ୟରେ ଥିବା ପ୍ରାକୃତିକ ଜଳଉସତ୍ଗୁଡ଼ିକ ଶୁଖିଯିବାରୁ ପାଣି ପାଇଁ ବନ୍ୟପ୍ରାଣୀମାନେ ଗାଁ ମୁହାଁ ହେଉଛନ୍ତି। ପ୍ରତିବର୍ଷ ଜଙ୍ଗଲରେ ନିଆଁ ଲାଗିବାରୁ କେବଳ ଗଛଲତା ପୋଡ଼ି ପାଉଁଶ ହୋଇ ଜଙ୍ଗଲ ଧ୍ୱଂସ ହେଉନାହିଁ, ବସବାସ କରୁଥିବା ବିଭିନ୍ନ ପ୍ରଜାତିର ସରୀସୃପ, ବନ୍ୟଜନ୍ତୁ ମଧ୍ୟ ଅଗ୍ନି ଉତ୍ତାପରେ ମରୁଛନ୍ତି। ଜଙ୍ଗଲ ମଧ୍ୟରେ ଝୁଲି ରହୁଥିବା ବିଦ୍ୟୁତ୍‌ ତାର, ଜଙ୍ଗଲ ପାର୍ଶ୍ୱରେ ଯାଉଥିବା ରେଳର ଗତି, ଶିକାରୀର ଜାଲ ପରି ସମସ୍ୟାଗୁଡ଼ିକୁ ମୁକାବିଲା ଓ ସମାଧାନ କରିବା ପାଇଁ ଜଙ୍ଗଲ ବିଭାଗ ଏକ ସମନ୍ବିତ ନୀତି ପ୍ରଣୟନ କରି ଜଙ୍ଗଲର ଅଭିବୃଦ୍ଧି ସହ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ଅଛି। ଧରାପଡୁଥିବା ଶିକାରୀମାନଙ୍କୁ ତ୍ୱରିତ ବିଚାର କରି ଦଣ୍ଡାଦେଶ କରାଯାଉ। ଜଙ୍ଗଲ ବିଭାଗରେ କାମ କରୁଥିବା ସମସ୍ତ କ୍ଷେତ୍ର କର୍ମଚାରୀମାନଙ୍କୁ ବୈଷୟିକ ଜ୍ଞାନକାୈଶଳରେ ତାଲିମ ପ୍ରଦାନ କରାଯାଇ ଦକ୍ଷ କରାଯାଉ। ପ୍ରତି ୩ମାସରେ ବନ୍ୟପ୍ରାଣୀ ଆପରାଧିକ ମାମଲାଗୁଡ଼ିକର ତଦନ୍ତ ଓ ଫଇସଲାଗୁଡ଼ିକୁ ବିଭାଗୀୟ ମୁଖ୍ୟ ଯାଞ୍ଚ କରନ୍ତୁ। ସରକାର ୨୦୨୨-୨୩ ଆର୍ଥତ୍କବର୍ଷ ପାଇଁ ବଜେଟରେ ମଞ୍ଜୁର କରିଥିବା ୧୨୪୧କୋଟି ଟଙ୍କାର ବାର୍ଷିକ ଯୋଜନା ପ୍ରସ୍ତୁତ କରି ତା’ର ଠିକ୍‌ ବିନିଯୋଗ ପାଇଁ ପ୍ରତ୍ୟେକ ମାସ ବିଭାଗୀୟ ମୁଖ୍ୟମାନେ ସମୀକ୍ଷା କରନ୍ତୁ। ରାଜ୍ୟର ଶିମିଳିପାଳ ଓ ସାତକୋଶିଆ ଅଭୟାରଣ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ବାଘ ସଂଖ୍ୟା କମି କମି ଶୂନରେ ପହଞ୍ଚତ୍ଲାଣି। ଏଣୁ ଜଙ୍ଗଲ ଅଭିବୃଦ୍ଧିରେ ବନ ବିଭାଗ ବିଶେଷ ଖୁସି ହେବା ସହ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଗ୍ରହଣ କରିବାକୁ ପଡ଼ିବ।
ଶ୍ୟାମପୁର, ଧାମନଗର, ଭଦ୍ରକ
ମୋ: ୯୯୩୮୦୮୦୨୯୪