ଥୁଆମୂଳ ରାମପୁର, ୨୪ା୨ (ଦୁର୍ଗା କୀର୍ତ୍ତି): ‘ଜଙ୍ଗଲ ସୁରକ୍ଷା ହିଁ ଜୀବନ ରକ୍ଷା’ – “ବନ୍ୟ ପ୍ରାଣୀଙ୍କୁ ନୂଆଁ ଦାଉରୁ ରକ୍ଷା କରନ୍ତୁ” ଏବଂ ବନାଗ୍ନି ରୁ ଜଙ୍ଗଲକୁ ବଞ୍ଚାନ୍ତୁ ଏହି ସବୁ ନାରାକୁ ପାଥେୟ କରି ସରକାର ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବନ ବିଭାଗ ପକ୍ଷରୁ ଆୟୋଜିତ ବନାଞ୍ଚଳ ସ୍ତରୀୟ ସଚେତନତା ସଭା ଗୁଡ଼ିକ କେବଳ ବିଭାଗୀୟ କର୍ମଚାରୀ ଓ ହାତଗଣତି କିଛି ଲୋକଙ୍କ ମଧ୍ୟରେ ସୀମିତ ରହୁଥିବା ଦେଖିବାକୁ ମିଳିଛି। ପ୍ରକୃତରେ ଏହି ସଚେତନତା ଲୋକଙ୍କ ପାଖରେ ପହଞ୍ଚୁଛି ନା ଏହା କେବଳ ପୋଷ୍ଟର ବ୍ୟାନର ମଧ୍ୟରେ ଆବଦ୍ଧ ରହିଛି, ସେ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ଗତ ସୋମବାର ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ବ ରେ କୋଷାବରା ସ୍ଥିତ ହେଲୋ ପଏଣ୍ଟ ଠାରେ ଓ ମଙ୍ଗଳବାର ସାଇସୁରୁନୀ ଉତ୍ତର ବନାଞ୍ଚଳ ପକ୍ଷରୁ ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଏସିଏଫ୍ ବିମଳ କୁମାର ଟପ୍ନୋ, ବନପାଳ ନିହାର ଠାକୁର, ବନରକ୍ଷୀ ସୁଶାନ୍ତ ଦାଶ, ରାମ ଖମାରୀ, ଦେବରାଜ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
ଏଥିସହ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗର ବନମାଳୀ ପୁଝାରୀଙ୍କ ନେତୃତ୍ୱରେ ଏକ ‘ମକ୍-ଡ୍ରିଲ୍’ ପ୍ରଦର୍ଶନ କରାଯାଇଥିଲା। ଜଙ୍ଗଲରେ ନିଆଁ ଲାଗିଲେ ତାହାକୁ କିପରି ଆୟତ୍ତ କରିବେ, ଆହତଙ୍କୁ କିପରି ଉଦ୍ଧାର କରିବେ ଏବଂ ସାପ କାମୁଡ଼ିଲେ କି ସାବଧାନତା ଅବଲମ୍ବନ କରିବେ, ସେ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା।
ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଭଳି ଏକ ଜନହିତକର କାର୍ଯ୍ୟକ୍ରମରେ ସାଧାରଣ ଜନତାଙ୍କ ଉପସ୍ଥିତି ନଗଣ୍ୟ ଥିଲା। କେବଳ ବିଭାଗୀୟ କର୍ମଚାରୀ ଓ କିଛି ବଛାବଛା ଲୋକଙ୍କୁ ନେଇ ସଭା ଶେଷ କରାଯାଇଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଲୋକଙ୍କୁ ସାମିଲ ନ କରି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ନ ଦେଇ କରାଯାଉଥିବା ଏହି ସଚେତନତା କାର୍ଯ୍ୟକ୍ରମ କେତେଦୂର ସଫଳ ହେବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁସାରେ ୫୦ରୁ ଅଧିକ ଜନସାଧାରଣ ଉପସ୍ଥିତ ଥିଲେ, କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା ବୟାନ କରୁଛି।
ଅନ୍ୟପଟେ, ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ଜଙ୍ଗଲ ନିଆଁକୁ ରୋକିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଥିବା ଅଧିକାରୀମାନେ ପ୍ରକାଶ କରିଛନ୍ତି। ଏହି ଅବସରରେ ‘ଜଙ୍ଗଲ ସାଥୀ’ ମାନଙ୍କୁ ନିଆଁ ଲିଭାଇବା ପାଇଁ ବିଭିନ୍ନ ଉପକରଣ ସହ ଅନ୍ୟାନ୍ୟ ଉପକରଣ ମଧ୍ୟ ବଣ୍ଟନ କରାଯାଇଥିଲା। ଯଦି ସ୍ଥାନୀୟ ଗ୍ରାମବାସୀଙ୍କୁ ଏହି ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ କରା ନଯାଏ, ତେବେ ଆଗାମୀ ଗ୍ରୀଷ୍ମ ଋତୁରେ ଜଙ୍ଗଲକୁ ସୁରକ୍ଷିତ ରଖିବା ବନ ବିଭାଗ ପାଇଁ ଏକ ବଡ଼ ଆହ୍ୱାନ ହେବ ବୋଲି ମତ ପ୍ରକାଶ ପାଇଛି।