ଦିଗପହଣ୍ଡି,୧୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ- ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିରେ ଗଜପତି ଜିଲା ପାରଳାଖେମୁଣ୍ଡି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଚନ୍ଦ୍ରଗିରି ରେଞ୍ଜ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ ନାଗ ରାଜୁଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦ୍ରଗିରି ରେଞ୍ଜର ରୂପକ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଟି.ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ କବିତା ଗମାଙ୍ଗ ଅତିଥିଭାବେ ଯୋଗ ଦେଇଥିଲେ। ତପ୍ତପାଣି ଆଶ୍ରମ ସ୍କୁଲର ଛାତ୍ରୀଛାତ୍ର ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ସହ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଶପଥ ପାଠ କରିଥିଲେ। ବର୍ତ୍ତମାନ ବଣଭୋଜିର ସମୟ ଚାଲିଥିବା ବେଳେ ତପ୍ତପାଣିକୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ମାନେ ଆସି ଭୋଜି କରୁଛନ୍ତି। ବୁଲିବାକୁ ଆସିଥିବା ପର୍ଯ୍ୟଟକମାନଙ୍କୁ ପୁନଃ ଉପଯୋଗୀ ହୋଇ ପାରୁନଥିବା ପ୍ଲାଷ୍ଟିକ ଉପକରଣ ବ୍ୟବହାର ନକରିବା ସହ ବଣ ଭୋଜି ଖାଇବାକୁ ପ୍ଲାଷ୍ଟିକ କିମ୍ବା ଥର୍ମୋକୁଲ ଥାଳି ବଦଳରେ ଶିଆଳି ଓ ଶାଳପତ୍ର ଖଲି ବ୍ୟବହାର କଲେ ପ୍ଲାଷ୍ଟିକ ଜନିତ ଆବର୍ଜନା କମିବା ସହ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ସଂଗ୍ରହ କରୁଥିବା ସ୍ଥାନୀୟ ଅଧିବାସୀ ଅର୍ଥନୈତିକ ରୋଜଗାର ବଢ଼ିବ ବୋଲି ବନ ବିଭାଗ କର୍ମଚାରୀ ଏବଂ ସ୍ବେଚ୍ଛାସେବୀ ସଙ୍ଗଠନ ଲିପିକାର କର୍ମକର୍ତ୍ତାମାନଙ୍କ ପକ୍ଷରୁ ସେମାନଙ୍କୁ ସଚେତନ କରାଯାଇଥିଲା। ଏହି ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମରେ ଆଶ୍ରମ ସ୍କୁଲ ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦଙ୍କ ସମେତ ବନପାଳ ସୁନୀଲ କୁମାର ମଣ୍ଡଳ, ଗଣେଶ ପ୍ରଧାନ, ବନରକ୍ଷୀ ରଞ୍ଜିତ କୁମାର ମାଳି, ବିଷ୍ଣୁପ୍ରିୟା ଗୌଡ଼, ବନ୍ଧିଆ ଗମାଙ୍ଗ, କେ. ଗୌତମୀଙ୍କ ସମେତ ସମସ୍ତ ବନ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।