ତେଜରାତି ଦୋକାନରୁ ବିଦେଶୀ ମଦ ଜବତ: ଜଣେ ଗିରଫ

ପରଜଙ୍ଗ,୧୭।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ରୋଡ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲ ନିକଟରେ ଥିବା ଏକ ତେଜରାତି ଦୋକାନରେ ପରଜଙ୍ଗ ଥାନା ଏସଆଇ ଦେବଗ୍ରାହୀ ମହାନ୍ତି,ଏଏସଆଇ ଜଳନ୍ଧର ବାରିକ ଚଢ଼ାଉ କରି ବିଭିନ୍ନ ପ୍ରକାର ର ବିଦେଶୀ ମଦ ଜବତ କରିବା ସହ ଚୋରା ମଦ ବିକ୍ରି ଅଭିଯୋଗରେ ଦୋକାନ ମାଲିକ ସଂଗ୍ରାମ ଶେଖର ସାହୁ ଙ୍କୁ ଗିରଫ କରାଯାଇଛି। ସଂଗ୍ରାମ ରୋଡ କୁନ୍ଦନଦେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାର୍ଶରେ ଏକ ତେଜରାତି ଦୋକାନ କରି ସେଥିରେ ଦୀର୍ଘ ଦିନ ଧରି ଚୋରା ମାଦକ ଦ୍ରବ୍ୟ, ବିଦେଶୀ ମଦ ବେଆଇନ ଭାବେ ବିକ୍ରି କରିଆସୁଥିଲେ। ଉକ୍ତ ଦୋକାନ ସମ୍ମୁଖରେ ପଞ୍ଚାୟତ କାର୍ଯ୍ୟାଳୟ ଥିବା ବେଳେ ଅଳ୍ପ ଦୂରରେ ଉପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି। ଦୈନନ୍ଦିନ ବିଭିନ୍ନ କାର୍ଯ୍ୟରେ ଲୋକଙ୍କ ଆଗମନ ହେଉଥିବା ବେଳେ ଛାତ୍ରଛାତ୍ରୀ ମାନେ ଶିକ୍ଷାଲାଭ ପାଇଁ ଆସିଥାନ୍ତି। ତେଜରାତି ଦୋକାନରେ ମଦ୍ୟପାନ କରି ଅସାମାଜିକ ବ୍ୟକ୍ତିମାନଙ୍କ ପାଦ୍ରୃଭାବ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଅନେକ ସମୟରେ ଛାତ୍ରଛାତ୍ରୀ, ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏସଂକ୍ରାନ୍ତରେ ପରଜଙ୍ଗ ଥାନାରେ ୫୪୨/୨୫ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଏସଆଇ ସୁଶ୍ରୀ ଅନାମିକା ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily

 

Share