ନୂଆଦିଲ୍ଲୀ,୨୮ା୫(ପି.ଟି.):ଦେଶର ଏନ୍ଜିଓଗୁଡ଼ିକ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି କରାଯାଇଛି। ତଦନୁସାରେ ଏଫ୍ସିଆର୍ଏ ଅଧୀନରେ ପଞ୍ଜୀକରଣ ଆବେଦନ କରିବାକୁ ଚାହୁଁଥିବା ଏନ୍ଜିଓଗୁଡ଼ିକୁ ନୂଆ ନିୟମାବଳୀ ମାନି ଚଳିବାକୁ ପଡ଼ିବ। ଉକ୍ତ ନୋଟିଫିକେଶନ୍ରେ ଉଲ୍ଲେଖ କରାଯାଇଛି ଯେ ଏଫ୍ସିଆର୍ଏ ନିୟମରେ ଅଣାଯାଇଥିବା ସଂଶୋଧନ ଅନୁଯାୟୀ ବିଦେଶୀ ପାଣ୍ଠି ହାସଲ ଲାଗି ଅନୁମତି ଚାହୁଁଥିବା ଏନ୍ଜିଓଗୁଡ଼ିକୁ ଟେରର ଫଣ୍ଡିଂ ଏବଂ ମନିଲଣ୍ଡରିଂ ସମ୍ପର୍କିତ ଜଗୁଆଳି ସଂସ୍ଥା ଏଫ୍ଏଟିଏଫ୍ର ଗୁଡ୍ ପ୍ରାକ୍ଟିସ୍ ଗାଇଡ୍ଲାଇନ୍ସ ମାନି ଚଳିବା ନେଇ ଲିଖିତ ଭାବେ ଏକ ଅଙ୍ଗୀକାରପତ୍ର ଦାଖଲ କରିବାକୁ ପଡ଼ିବ। ଯେଉଁ ସଂସ୍ଥା ବା ଏନ୍ଜିଓ ପଞ୍ଜୀକରଣ ପାଇଁ ଆବେଦନ କରିବେ, ସେଗୁଡ଼ିକ ନିଜ ଆବେଦନପତ୍ରରେ ଅନୂ୍ୟନ ୩ ବର୍ଷର ଫାଇନାନ୍ସିଆଲ ଷ୍ଟେଟ୍ମେଣ୍ଟ ଓ ଅଡିଟ୍ ରିପୋର୍ଟ ଦାଖଲ କରିବେ। ସେଥିରେ ସମ୍ପୃକ୍ତ ଏନ୍ଜିଓର ସମ୍ପତ୍ତି, ଋଣ, ଗ୍ରହଣ କରିଥିବା ପାଣ୍ଠିର ରସିଦ, ଦେୟ ବିବରଣୀ ଏବଂ ଆୟବ୍ୟୟ ଆକାଉଣ୍ଟ ତଥ୍ୟ ମଧ୍ୟ ରହିବ। ଅଡିଟ୍ ରିପୋର୍ଟ ଓ ଫାଇନାନ୍ସିଆଲ ଷ୍ଟେଟ୍ମେଣ୍ଟରେ କାର୍ଯ୍ୟକଳାପ ଅନୁସାରେ ଗତ ୩ ବର୍ଷର ଏକ୍ସପେଣ୍ଡିଚର ରହି ନ ଥିଲେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କଠାରୁ ପ୍ରମାଣପତ୍ର ଆଣିବାକୁ ପଡ଼ିବ। ସମ୍ପୃକ୍ତ ସଂସ୍ଥା ଦ୍ୱାରା ଖର୍ଚ୍ଚ କରାଯାଇଥିବା ଅର୍ଥ ଏହାର ଆୟବ୍ୟୟ ଅନୁରୂପ ବୋଲି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସେଥିରେ ଉଲ୍ଲେଖ କରିବେ।
କୌଣସି ସଂଘ କିମ୍ବା ଏନ୍ଜିଓ ପ୍ରକାଶନ ସମ୍ପର୍କିତ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ ଅଥବା ଏହାର ମେମୋରାଣ୍ଡମ୍ ଅଫ୍ ଆସୋସିଏଶନ୍/ଟ୍ରଷ୍ଟ ଡିଡ୍ରେ ଖବର ପ୍ରକାଶ କରିବା ନେଇ ଉଦ୍ଦେଶ୍ୟ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲେ ସମ୍ପୃକ୍ତ ସଂସ୍ଥାର ମୁଖ୍ୟଙ୍କୁ ଏଫ୍ସିଆର୍ଏ-୨୦୧୦ର ଅନୁପାଳନ କରାଯିବା ନେଇ ଅଣ୍ଡରଟେକିଂ ଦେବାକୁ ପଡ଼ିବ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆହୁରି କହିଛି ଯେ, ଯଦି ସମ୍ପୃକ୍ତ ସଂସ୍ଥା ଆର୍ଏନ୍ଆଇରେ ପଞ୍ଜୀକୃତ ହୋଇଛି ତେବେ ତାକୁ ଆର୍ଏନ୍ଆଇଠାରୁ ‘ନଟ୍ ଏ ନ୍ୟୁଜ୍ପେପର’ ସାର୍ଟିଫିକେଟ୍ ଆଣି ଦାଖଲ କରିବାକୁ ପଡ଼ିବ। ଯଦି ଏନ୍ଜିଓ ପୂର୍ବରୁ ଏଫ୍ସିଆର୍ଏ ଅଧୀନରେ ପଞ୍ଜୀକୃତ ହୋଇଥିଲା, ତେବେ ଏହାକୁ ରେଜିଷ୍ଟ୍ରେଶନ୍ ସାର୍ଟିଫିକେଟ୍ ଅବଧି ଶେଷ କିମ୍ବା ରଦ୍ଦ ହେବା ପରେ ମିଳିଥିବା ଓ ବିନିଯୋଗ କରାଯାଇଥିବା ବିଦେଶୀ ପାଣ୍ଠି ସମ୍ପର୍କିତ ବିବରଣୀ ନେଇ ଏକ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ଯଦି ଏନ୍ଜିଓର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସ୍ତମ୍ଭରେ ଗତ ୩ ବର୍ଷର ବ୍ୟୟ ୧୫ ଲକ୍ଷ ଟଙ୍କାରୁ କମ୍ ରହିଥିବ, ତେବେ ପୁଞ୍ଜି ଅନ୍ତର୍ଭୁକ୍ତୀକରଣ ଉପରେ ସତ୍ୟପାଠ ଦେବାକୁ ପଡ଼ିବ ବୋଲି ଉକ୍ତ ଗାଇଡ୍ଲାଇନ୍ରେ ଉଲ୍ଲେଖ କରାଯାଇଛି। ସେହିପରି ଏନ୍ଜିଓର ପ୍ରଶାସନିକ ଖର୍ଚ୍ଚକୁ ମଧ୍ୟ ବିଦେଶୀ ପାଣ୍ଠିର ୨୦% ଭିତରେ ସୀମିତ ରଖିବାକୁ ପଡ଼ିବ। ବିଦେଶୀ ସଂସ୍ଥା ଓ ସରକାରଠାରୁ ଅନୁଦାନ ଲାଭ କରି ଭାରତରେ ଦେଶବିରୋଧୀ କାର୍ଯ୍ୟରେ ନିୟୋଜିତ ଏନ୍ଜିଓଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ପାଇଁ ଏଫ୍ସିଆର୍ଏ ନିୟମରେ ଏପରି ସଂଶୋଧନ ଅଣାଯାଇଥିବା କୁହାଯାଉଛି। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।