ଶିଶୁ ଜନ୍ମ ପରେ ଅଧିକାଂଶ ମହିଳାଙ୍କର ପେଟରେ ଚର୍ବି ଜମିଯାଏ; ଯେଉଁଥିପାଇଁ ଫିଗର ଖରାପ ଲାଗିଥାଏ ବୋଲି ଅନେକ ମହିଳା ବ୍ୟସ୍ତ ହୋଇପଡ଼ନ୍ତି। ହେଲେ ଏଥିପାଇଁ ଆଦୌ ବ୍ୟସ୍ତ ନ ହୋଇ ପ୍ରତିଦିନ କେତୋଟି ଯୋଗ, ବ୍ୟାୟାମ କଲେ ପେଟ କମିବା ସହ ସ୍ଲିମ୍ ଫିଟ୍ ଲୁକ୍ ପାଇପାରିବେ…
କପାଳଭାତି: ମ୍ୟାଟ୍ ଉପରେ ଚକାମାଡି ବସନ୍ତୁ, ଯେପରି ମେରୁଦଣ୍ଡ ଏବଂ ପିଠି ସିଧା ହୋଇ ରହିବ। ୨ହାତର ପାପୁଲିକୁ ଉପରମୁହଁା କରି ଆଣ୍ଠୁ ଉପରେ ରଖନ୍ତୁ। ଗଭୀର ନିଃଶ୍ୱାସ ନେଇ ଏହାକୁ ଜୋରରେ ଛାଡ଼ନ୍ତୁ। ନିଃଶ୍ୱାସ ଛାଡ଼ିବା ବେଳେ ପେଟ ଏବଂ ମାଂସପେଷୀ ଯେପରି ଭିତରକୁ ଟାଣି ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ପ୍ରତି ୨୦ ସେକେଣ୍ଡରେ ଥରେ ରେଷ୍ଟ ନେଇ ପୁନର୍ବାର କପାଳଭାତି କରନ୍ତୁ। ପ୍ରତିଦିନ ଏପରି କଲେ ପେଟରେ ଜମୁଥିବା ଚର୍ବି କମିଯିବା ସହ ଗ୍ୟାସ୍, ଏସିଡିଟି ଭଳି ସମସ୍ୟା କମ୍ ହୋଇଥାଏ। ମନେରଖନ୍ତୁ, କପାଳଭାତି ସକାଳ ସମୟରେ ଏବଂ ଖାଲିଖାଲି ପେଟରେ କଲେ ଅଧିକ ଲାଭ ପାଇପାରିବେ।
ପୁସ୍ଅପ୍: ପ୍ରତିଦିନ ପୁସ୍ଅପ୍ କଲେ ନା କେବଳ ପେଟର ଚର୍ବି କମିଥାଏ ବରଂ ପେଟ, ହାତ, ଗୋଡ଼ ଆଦିର ମାଂସପେଶୀ ମଜଭୁତ ହୋଇଥାଏ। ଏଥିପାଇଁ ପ୍ରଥମେ ମ୍ୟାଟ୍ରେ ପେଟମାଡ଼ି ଶୋଇଯାଆନ୍ତୁ। ୨ପାପୁଲି ଏବଂ ଗୋଡ଼ର ଆଙ୍ଗୁଳି ସାହାଯ୍ୟରେ ଶରୀରକୁ ଉପରକୁ ଉଠାନ୍ତୁ। ଧୀରେ ଧୀରେ କହୁଣି ବଙ୍କାକରି ଶରୀରକୁ ତଳକୁ ଖସାନ୍ତୁ ଏବଂ ପୁଣି ଉପରକୁ ଉଠାନ୍ତୁ। ଦିନକୁ ଅତି କମ୍ରେ ୩୦ଥର ପୁସ୍ଅପ୍ କରନ୍ତୁ। ପ୍ରଥମେ ୧୫ ଥର ଏବଂ ୩୦ ସେକେଣ୍ଡ ରିଲାକ୍ସ କରିବା ପରେ ପୁଣି ୧୫ଥର କରନ୍ତୁ।
ମାଉଣ୍ଟେନ କ୍ଲାଇମ୍ବର: ଏଥିରେ ମଧ୍ୟ ପ୍ରଥମେ ମ୍ୟାଟ୍ରେ ପେଟ ମୋଡ଼ି ଶୋଇଯାନ୍ତୁ। ୨ ପାପୁଲି ଏବଂ ଗୋଡ଼ର ଆଙ୍ଗୁଳି ସାହାଯ୍ୟରେ ଶରୀରକୁ ଉପରକୁ ଉଠାନ୍ତୁ। ମନେରଖନ୍ତୁ କହୁଣି ଯେପରି ସମ୍ପୂର୍ଣ୍ଣ ସିଧା ରୁହେ । ଗୋଟିଏ ଗୋଡ଼ର ଆଣ୍ଠୁକୁ ଛାତି ପର୍ଯ୍ୟନ୍ତ ଆଣି ପୁଣି ପଛକୁ ନିଅନ୍ତୁ। ଅନ୍ୟ ଗୋଡ଼ର ଆଣ୍ଠୁକୁ ସେହିଭଳି ଛାତି ପର୍ଯ୍ୟନ୍ତ ଆଣି ପଛକୁ ନିଅନ୍ତୁ ଯେପରି ଆପଣ ପାହାଡ଼ ଚଢୁଛନ୍ତି। ଏହିପରି ୩୦ ଥର କରନ୍ତୁ।