ଫୁଟବଲ ଟୁର୍ନାମେଣ୍ଟ ଆରମ୍ଭ: ୮ ଦଳ ମଧ୍ୟରେ ମୁକାବିଲା

ଜି.ଉଦୟଗିରି,୨୭।୧୧(ଚିନ୍ମୟ କୁମାର ସେଠୀ): କଳିଙ୍ଗ ଆଥ୍‌ଲେଟିକ୍ସ ଆସୋସିଏଶନ ଜି.ଉଦୟଗିରି ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଗୁରୁବାର ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଆସୋସିଏଶନ ସଭାପତି ଆଲୋକ ଚନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚରେ ସ୍ଥାନୀୟ ଏନ୍‌ଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳ ଶୁଭାରମ୍ଭ କରିଥିଲେ।

ସମ୍ମାନିତ ଅତିଥି ଭାବେ କାଉନସିଲର ଜାକେସ ପ୍ରଧାନ, ପୂର୍ବତନ ଖେଳାଳି ଫିରୋଜ ଦିଗାଲ, ଚିତ୍ରସେନ ପ୍ରଧାନ ଯୋଗ ଦେଇଥିବା ବେଳେ ଦୀପକ କୁମାର ପ୍ରଧାନ, ସନ୍ତୋଷ କୁମାର ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ।

ଟୁର୍ନାମେଣ୍ଟରେ ୮ ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରଥମ ଦିନରେ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ୍‌ ଆର୍ଗଡ଼ି ଫୁଟବଲ ଟିମ୍‌ ସହ ର୍ସିକି ଦଳ ମଧ୍ୟରେ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍‌ କଳିଙ୍ଗ କ୍ଲବ ସିନିୟର ଦଳ ସହ ବାଣୀଶ୍ରୀ ଫୁଟବଲ କ୍ଲବ ଗୁଟିଙ୍ଗିଆ, ତୃତୀୟ ମ୍ୟାଚ କଳିଙ୍ଗ ମହାବିଦ୍ୟାଳୟ ସହ ନିଦୁରିପଡ଼ା ଫୁଟବଲ କ୍ଲବ, ଚତୁର୍ଥ ମ୍ୟାଚ କଳିଙ୍ଗ ଆଥ୍‌ଲେଟିକ୍ସ ସହ ସର୍ତ୍ତୀଗୁଡ଼ା ମଧ୍ୟରେ ହୋଇଥିଲା।

ସେଥିମଧ୍ୟରୁ ୪ଟି ଦଳ ବିଜୟୀ ହୋଇଥିଲେ। ବିଜୟୀ ଦଳ ମଧ୍ୟରେ ଶୁକ୍ରବାର ୨ଟି ସେମିଫାଇନାଲ ମ୍ୟାଚ୍‌ ହେବ ଓ ଶନିବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ଟୁର୍ନାମେଣ୍ଟର ଏହି ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚରେ ରେଫରୀ ଭାବେ କାମାକ୍ଷା ପ୍ରସାଦ ପ୍ରଧାନ, ଗୋପିନାଥ ପ୍ରଧାନ, କାଳିଆ ପ୍ରଧାନ ପ୍ରମୁଖ ମ୍ୟାଚ୍‌ ପରିଚାଳନା କରିଥିଲେ। ଆୟୋଜକ ଦଳର ସଦସ୍ୟମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଖେଳ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକମାନେ ଉପସ୍ଥିତ ଥିଲେ।