ଖାଦ୍ୟ ସୁରକ୍ଷା ଆଇନ ଓ ବାସ୍ତବତା

ରାଜୀବ କର୍ମି

ସଦ୍ୟ ନିର୍ବାଚିତ ସରପଞ୍ଚମାନଙ୍କ ପାଇଁ ଏକ ଆହ୍ବାନ ହେଉଛି ସାଧାରଣ ବଣ୍ଟନ ବ୍ୟବସ୍ଥାର ସଫଳ ରୂପାୟନ। ନିର୍ବାଚନ ପୂର୍ବବର୍ତ୍ତୀ ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଇ କେତେଜଣ ସରପଞ୍ଚ ପିଡିଏସ୍‌ ସାମଗ୍ରୀକୁ ଅପହଞ୍ଚ ଗାଁଗୁଡ଼ିକରେ ଯୋଗାଇ ଦେବାର ବ୍ୟବସ୍ଥା କରିଥିବାର ଖବର ପ୍ରକାଶ ପାଉଛି। ଜନପ୍ରତିନିଧିମାନେ ଜନସାଧାରଣଙ୍କ ନିକଟରେ ଖାଦ୍ୟସାମଗ୍ରୀ ପହଞ୍ଚାଇ ପାରିଛନ୍ତି, ଏହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ। କାରଣ ଏହା ଜନସାଧାରଣଙ୍କ ନ୍ୟାଯ୍ୟ ଅଧିକାର। ଲୋକଙ୍କ ଦୁଆରମୁହଁରେ ଖାଦ୍ୟସାମଗ୍ରୀ ପହଞ୍ଚାଇବାକୁ ହେଲେ ଅନେକ ଆହ୍ବାନ ରହିଛି, ମାତ୍ର ଜଣେ ସରପଞ୍ଚ ଚାହିଁଲେ ଅସମ୍ଭବ ନୁହେଁ।
ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଫଳପ୍ରଦ କରିବା ଏବଂ ଲୋକଙ୍କୁ ଖାଦ୍ୟ ଅଧିକାର ଦେବା ପାଇଁ କେନ୍ଦ୍ର ସରକାର ୨୦୧୩ ସେପ୍ଟେମ୍ବର୧୦ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କଲେ। ଏହି ଆଇନର ପ୍ରଥମ ଧାଡ଼ିରେ ସରକାର କହିଛନ୍ତି ଯେ ଏହା ଏମିତି ଏକ ଆଇନ ଯାହା ଲୋକମାନଙ୍କୁ ଜୀବନସାରା ସ୍ବଳ୍ପ ମୂଲ୍ୟରେ ଏବଂ ଉପଯୁକ୍ତ ପରିମାଣରେ ଖାଦ୍ୟ ଏବଂ ପୁଷ୍ଟିର ସୁରକ୍ଷା ଯୋଗାଇ ଦେବ। ଯାହା ଫଳରେ ଲୋକମାନେ ସମ୍ମାନର ସହ ବଞ୍ଚିବେ। ଆମଦେଶରେ ଅନେକ ଗରିବଗୁରୁବା ଲୋକ ଖାଦ୍ୟ ଅଭାବରେ ଦିନ କାଟୁଥିବାର ନଜିର ରହିଛି। କେତେବେଳେ ଖାଦ୍ୟ ନ ପାଇ ଆମ୍ବଟାକୁଆ ଖାଉଛନ୍ତି ତ କେତେବେଳେ ଖାଦ୍ୟ ଅଭାବରୁ ଶିଶୁ ବିକ୍ରି ଏବଂ କେତେବେଳେ ଖାଦ୍ୟ ଅଭାବୀ ମୃତ୍ୟୁମୁଖରେ ପଡ଼ୁଥିବାର ଉଦାହରଣ ରହିଛି। ତେଣୁ ସରକାର ଲୋକଙ୍କ ପାଖରେ ଚାଉଳ ଏବଂ ଗହମ ପହଞ୍ଚାଇ ଖାଦ୍ୟକୁ ସୁରକ୍ଷିତ କରିବାକୁ ଏହି ଆଇନରେ ପ୍ରତିଶ୍ରୁତି ଦେଇଛନ୍ତି।
ଖାଦ୍ୟକୁ ନିଶ୍ଚିତ କରିବା ସଙ୍ଗେ ସଙ୍ଗେ ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ଖାଦ୍ୟସାମଗ୍ରୀକୁ ପିଡିଏସ୍‌ ଦୋକାନ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରିବା ଉପରେ ଆଇନରେ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ଆମ ଦେଶର ଦୁଇ ତୃତୀୟାଂଶ ଲୋକ ଏହି କାର୍ଯ୍ୟକ୍ରମର ଲାଭ ଉଠାଉଛନ୍ତି। ଯେଉଁଥିରେ ଗର୍ଭବତୀ ମହିଳାଙ୍କଠୁ ଆରମ୍ଭ କରି ଛୋଟ ଛୋଟ ଶିଶୁ ଏବଂ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନେ ମଧ୍ୟ ଏଥିରୁ ଉପକୃତ ହେଉଛନ୍ତି। ସରକାର ଯଦି କାହାକୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାରେ ବିଫଳ ହୁଅନ୍ତି ତେବେ ତା’ ବଦଳରେ ଖାଦ୍ୟ ସୁରକ୍ଷା ଭତ୍ତା ଦେବା ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା ଅଛି। ଏହା ସହିତ ସରକାର ନିଜ ଖର୍ଚ୍ଚରେ ଖାଦ୍ୟସାମଗ୍ରୀ ବଣ୍ଟନ କେନ୍ଦ୍ରକୁ ଖାଦ୍ୟଶସ୍ୟ ପହଞ୍ଚାଇବାର ବ୍ୟବସ୍ଥା କରିବେ ଏବଂ ବଣ୍ଟନ ସମ୍ପର୍କିତ ସମସ୍ତ କାଗଜପତ୍ର ସହିତ ଅନ୍ୟାନ୍ୟ ତଥ୍ୟ ସରକାର ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବେ। ଖାଦ୍ୟ ସୁରକ୍ଷା ଆଇନକୁ ଛାଡ଼ି ରାଜ୍ୟ ସରକାରଙ୍କର ନିଜସ୍ବ ଏକ ଯୋଜନା ମଧ୍ୟ ଚାଲିଛି। ଯେଉଁ ହିତାଧିକାରୀମାନେ ଖାଦ୍ୟସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହୋଇ ନାହାନ୍ତି ତାଙ୍କୁ ଏହି ରାଜ୍ୟ ଯୋଜନାରେ ସାମିଲ କରାଯାଇଛି।
ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ବଣ୍ଟନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ଖାଦ୍ୟସାମଗ୍ରୀ ବଣ୍ଟନ କେନ୍ଦ୍ରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ରାଜ୍ୟ ସରକାର ସତର୍କତା କମିଟି ମାନ ଗଠନ କରି ଏହି କାର୍ଯ୍ୟକ୍ରମକୁ ତଦାରଖ କରିବେ। ପଞ୍ଚାୟତର ସ୍ତରରେ ସରପଞ୍ଚ ଏହାର ଅଧ୍ୟକ୍ଷ ରହିବା ସହିତ ପଞ୍ଚାୟତ ସମିତି ସଭ୍ୟ, ୪ଜଣ ଖାଉଟି ଯେଉଁଥିରେ ଅନୁସୂଚିତ ଜାତି ଏବଂ ଉପଜାତିର ପ୍ରତିନିଧି ଭାବରେ ପୁରୁଷ ଏବଂ ମହିଳା ସଭ୍ୟ ରହିବେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧିଙ୍କୁ କମିଟିରେ ସଭ୍ୟାସଭ୍ୟ ଭାବରେ ନିଆଯିବ। କମିଟିର ମୁଖ୍ୟ ଦାୟିତ୍ୱ ରହିବ ତ୍ରୟମାସିକ ବୈଠକ କରି ଖାଦ୍ୟସାମଗ୍ରୀର ସମସ୍ତ ବିବରଣୀ ସରକାରଙ୍କୁ ଅବଗତ କରାଇବା। କମିଟି ସଭ୍ୟମାନେ ନିୟମିତ ବ୍ୟବଧାନରେ ପିଡିଏସ୍‌ କେନ୍ଦ୍ରକୁ ତଦାରଖରେ ଯାଇ ଏହାର ସଫଳ ରୂପାୟନ, ଖାଦ୍ୟସାମଗ୍ରୀର ପରୀକ୍ଷା, ଆସବାବପତ୍ରର ଯାଞ୍ଚ, ଲୋକଙ୍କ ଅଭିଯୋଗର ସମାଧାନ ଇତ୍ୟାଦିର ବ୍ୟବସ୍ଥା କରିବେ।
ଅନେକ ପଞ୍ଚାୟତରେ ଏହି ବଣ୍ଟନ କେନ୍ଦ୍ରଗୁଡ଼ିକ ପଞ୍ଚାୟତ ପରିସରରେ ଚାଲୁଛି। ଅନେକ ପଞ୍ଚାୟତରେ ଗାଁଗୁଡ଼ିକର ଦୂରତା ଅଧିକ ଥିବାରୁ ଲୋକମାନେ ଯିବା ଆସିବାରେ ଅସୁବିଧା ହୋଇଥାଏ। ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଲୋକମାନଙ୍କୁ ୨୦/୨୫ କିଲୋମିଟରରୁ ଅଧିକ ଚାଲିଚାଲି ଆସି ଚାଉଳ, ଗହମ, କିରୋସିନ ଆଦି ନେବା ପାଇଁ ପଡ଼େ। ଯାହା ଦ୍ୱାରା ଗୋଟିଏ କାର୍ଯ୍ୟ ଦିବସର କ୍ଷତି ସହିତ ଅନ୍ୟାନ୍ୟ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ଅନେକ ସମୟରେ ପିଡିଏସ୍‌ ସାମଗ୍ରୀ ପାଇବା ପାଇଁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥାଏ। ଅନେକ ପଞ୍ଚାୟତରେ ପାନୀୟ ଜଳର ବ୍ୟବସ୍ଥା ସାଙ୍ଗକୁ ଲୋକଙ୍କ ପାଇଁ ବସିବାର ଏବଂ ଛାଇର ବ୍ୟବସ୍ଥା ନ ଥିବା ଯାହା ଫଳରେ ଖରା ଏବଂ ବର୍ଷାରେ ଲୋକଙ୍କୁ ଅନେକ ହଇରାଣ ହେବାକୁ ପଡ଼େ। ଏ ଅବ୍ୟବସ୍ଥା ଦେଖିଲେ ମନେହୁଏ ସରକାର ଲୋକଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟସାମଗ୍ରୀ ଯୋଗାଇ ଦେଇ ଦୟା କରୁଛନ୍ତି।
ଆସନ୍ତା ବର୍ଷ ଖାଦ୍ୟ ସୁରକ୍ଷା ଆଇନକୁ ୧୦ ବର୍ଷ ପୂରୁଥିବା ବେଳେ, ୨୦୨୧ର ବିଶ୍ୱ ଖାଦ୍ୟ ସୁରକ୍ଷା ସାରଣୀ ଅନୁସାରେ ଭାରତ ୧୧୩ଟି ଦେଶ ମଧ୍ୟରେ ୭୧ ତମ ସ୍ଥାନରେ ରହିଛି। କିନ୍ତୁ ଆଜି ବି ତୃଣମୂଳ ସ୍ତରରେ ଏହାର ଠିକ୍‌ ରୂପାୟନ ହୋଇପାରୁ ନାହିଁ। ହିତାଧିକାରୀମାନଙ୍କୁ ଖାଦ୍ୟସାମଗ୍ରୀ ବଣ୍ଟନର ମୁଖ୍ୟ ଦାୟିତ୍ୱ ହେଉଛି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କର। ତାଙ୍କୁ ସହାଯ୍ୟ କରିବା ପାଇଁ ଜଣେ ଯୋଗାଣ ସହାୟକଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ମାତ୍ର ଅନେକ ସ୍ଥାନରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସବୁ ଦାୟିତ୍ୱ ଯୋଗାଣ ସହାୟକଙ୍କୁ ଛାଡ଼ି ଦେଇଛନ୍ତି। ବେଳେ ବେଳେ ଖାଦ୍ୟ ସାମଗ୍ରୀ ଠିକ୍‌ ସମୟରେ କେନ୍ଦ୍ରରେ ପହଞ୍ଚି ପାରେ ନାହିଁ ଏବଂ ଅନେକ ସମୟରେ ଏଥିରେ ଆବଶ୍ୟକ ପରିମାଣଠାରୁ କମ୍‌ ପରିମାଣର ଚାଉଳ, ଗହମ ଆସିଥାଏ। ଯାହା ଫଳରେ କିଛି ଲୋକଙ୍କ ପାଇଁ ନିଅଣ୍ଟ ହୋଇଥାଏ।
କେବଳ ଚାଉଳ ଗହମରେ ପୁଷ୍ଟି ମିଳିପାରିବ ନାହିଁ। ଏଥିରେ ଅନ୍ୟାନ୍ୟ ଡାଲିଜାତୀୟ ଶସ୍ୟ ମଧ୍ୟ ସାମିଲ କରାଯିବା ଉଚିତ। ଅନେକ ପଞ୍ଚାୟତର ଗାଁଗୁଡ଼ିକ ଆଭ୍ୟନ୍ତରୀଣ ଏବଂ ପାର୍ବତ୍ୟ ଅଞ୍ଚଳରେ ରହିଛି। ତେଣୁ ସେହି ଗାଁ ପାଇଁ ଅତିରିକ୍ତ ବଣ୍ଟନ କେନ୍ଦ୍ରମାନ ଖୋଲିବା ଆବଶ୍ୟକ। ଏଥିପାଇଁ ହେଉଥିବା ଅତିରିକ୍ତ ଖର୍ଚ୍ଚ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବା ଉଚିତ। ଯେଉଁ ହିତାଧିକାରୀମାନେ କେନ୍ଦ୍ରକୁ ଆସି ଖାଦ୍ୟସାମଗ୍ରୀ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବା ଦରକାର। ଖାଦ୍ୟସାମଗ୍ରୀ ବଣ୍ଟନ ଦିନଗୁଡ଼ିକରେ ହିତାଧିକାରୀମାନଙ୍କ ପାଇଁ ପାନୀୟ ଜଳ, ବସିବା ଲାଗି ଛାଇ ସ୍ଥାନର ବ୍ୟବସ୍ଥା ଏବଂ ଶୃଙ୍ଖଳାରେ ବଣ୍ଟନ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। କେନ୍ଦ୍ରକୁ ଆସୁଥିବା ଖାଦ୍ୟସାମଗ୍ରୀ ଗ୍ରହଣ ସ୍ଥାନରେ ଓଜନ କରି ଗ୍ରହଣ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ଉଚିତ। ପଞ୍ଚାୟତଗୁଡ଼ିକରେ ସତର୍କତା ତଥା ତଦାରଖ କମିଟି ନାହିଁ। ତେଣୁ ତାହା ଗଠନ କରି ସକ୍ରିୟ କରାଯାଉ। ଆଜିବି ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି, ତେଣୁ ସେମାନଙ୍କୁ ନିୟମିତ ଭାବରେ ପର୍ଯ୍ୟାୟଭୁକ୍ତ କଲେ ହିଁ ସେମାନଙ୍କ ଖାଦ୍ୟ ସୁରକ୍ଷିତ ରହିବ।
ଶଗଡ଼ା, ବୌଦ୍ଧ
ମୋ-୮୩୨୮୮୪୮୧୪୫