ବ୍ରହ୍ମୋସର ପୂର୍ବ ଇଞ୍ଜିନିୟରଙ୍କୁ ଆଜୀବନ କାରାଦଣ୍ଡ, କରିଥିଲେ ବଡ଼ ଅପରାଧ

ନୂଆଦିଲ୍ଲୀ, ୩।୬: ନାଗପୁରର ଏକ ଅଦାଲତ ସୋମବାର ବ୍ରହ୍ମୋସ ଏରୋସ୍ପେସ୍‌ର ପୂର୍ବ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି। ନିଶାନ୍ତଙ୍କ ନାମରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ପାଇଁ କାମ କରୁଥିବା ନେଇ ଅଭିଯୋଗ ରହିଛି। ନିଶାନ୍ତ ୨୦୧୮ ମସିହାରେ ଆଇଏସଆଇକୁ ବ୍ରହ୍ମୋସ ଏରୋସ୍ପେସ୍‌ ସମ଼୍ବନ୍ଧୀୟ ଗୁପ୍ତ ସୂଚନା ଦେଉଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ନିଶାନ୍ତ ବ୍ରହ୍ମୋସ ଏରୋସ୍ପେସ୍‌ର ସିନିୟର ସିଷ୍ଟମ ଇଞ୍ଜିନିୟର ଥିବା ସହ କ୍ଷେପଣାସ୍ତ୍ର ଯୋଜନା ମିଶନରେ ସାମିଲ ଥିଲେ। ତାଙ୍କୁ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଏଟିଏସ୍‌ ଏବଂ ମିଲିଟାରୀ ଇଣ୍ଟେଲିଜେନ୍ସ ନାଗପୁରରୁ ଗିରଫ କରିଥିଲେ।

ସୂଚନା ଥାଉକି, ବ୍ରହ୍ମୋସ ଏରୋସ୍ପେସ୍‌ ଡିଆରଡିଓ ଏବଂ ରୁଷ୍‌ର ମିଲିଟାରୀ ଇଣ୍ଡଷ୍ଟ୍ରିଆଲ୍‌ କସୋର୍ଟିୟମର ଏକ ମିଳିତ ଉପକ୍ରମ। ଯାହାକି ଭାରତରେ ସୁପରସୋନିକ କ୍ରୁଜ ମିଶାଇଲର ବିକାଶ ଏବଂ ନିର୍ମାଣ କାର୍ଯ୍ୟ କରିଥାଏ। ଏହି ସୁପରସୋନିକ ମିଶାଇଲକୁ ଭୂମି, ଆକାଶ, ସମୁଦ୍ର ଏବଂ ପାଣି ତଳୁ ମଧ୍ୟ ଲଞ୍ଚ କରାଯାଇ ପାରିବ ।

ତେବେ ୨୦୧୮ରେ ଯେତେବେଳେ ନିଶାନ୍ତଙ୍କୁ ଗିରଫ କରାଯାଇଥିଲା ସେତେବେଳେ ସାରା ଦେଶରେ ଏନେଇ ଚର୍ଚ୍ଚା ହୋଇଥିଲା। କାରଣ ଏହା ବ୍ରହ୍ମୋସ ଏରୋସ୍ପେସର ପ୍ରଥମ ଗପ୍ତଚର ମାମଲା ଥିଲା । ନିଶାନ୍ତ ଦୁଇ ଫେସବୁକ୍‌ ଆକାଉଣ୍ଟ ନେହା ଶର୍ମା ଏବଂ ପୂଜା ରଞ୍ଜନଙ୍କ ଜରିଆରେ ଆଇଏସ୍‌ଆଇର ଏଜେଣ୍ଟଙ୍କ ସହ ସଂପର୍କ ରଖିଥିଲେ। ଇସ୍‌ଲାମାବାଦରୁ ପରିଚାଳିତ ଏହି ଦୁଇ ଆକାଉଣ୍ଟ ଆଇଏସଆଇର ବୋଲି କୁହାଯାଉଛି।

Share
Tags: brahmos