ଫ୍ଲାଏ ଓଭର କାମ ନିମ୍ନମାନର

ବଇଣ୍ଡା,୩୧।୧୦(ଡି.ଏନ.ଏ): କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର କିଶୋରନଗର ବ୍ଲକ ବଇଣ୍ଡାଠାରେ ଫ୍ଲାଏ ଓଭର ବ୍ରିଜ୍‌ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଏ ନେଇ ବଇଣ୍ଡା ଅଞ୍ଚଳବାସୀ ଶନିବାର ଅନୁଗୋଳ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ରବିବାର ଫ୍ଲାଏ ଓଭର ବ୍ରିଜ୍‌ କଂକ୍ରିଟ କାମ ଚାଲିଥିବାବେଳେ ଏହାକୁ ନେଇ ଆପତ୍ତି ଉଠାଇଥିଲେ ଗ୍ରାମବାସୀ। ସେମାନେ ଘଟଣାସ୍ଥଳରେ ପହଞ୍ଚତ୍ କାର୍ଯ୍ୟର ମାନ ଯାଞ୍ଚ କରିଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଅଧିକାରୀଙ୍କ ଅନୁପସ୍ଥିତିରେ କାମ ହେଉଛି। ଏଥିସହ କଂକ୍ରିଟ୍‌ ଢଳେଇରେ ଅତ୍ୟାଧୁନିକ ମେଶିନ ବ୍ୟବହାର ହେଉ ନ ଥିବାରୁ ଏହାର ସ୍ଥାୟିତ୍ୱ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।
ଗ୍ରାମବାସୀ କହିଛନ୍ତି, ବଇଣ୍ଡା ଫ୍ଲାଏ ଓଭର ବ୍ରିଜ ନିର୍ମାଣରେ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଛି। ତେବେ ବ୍ରିଜ୍‌ ତଳ ଫାଉଣ୍ଡେଶନ କଂକ୍ରିଟ କାମରେ ମେଶିନ ବ୍ୟବହାର କରାଯାଉନାହିଁ। କଂକ୍ରିଟ୍‌ କାର୍ଯ୍ୟ ଅତି ନିମ୍ନମାନର ହେଉଛି। ବୁମ୍‌ ପ୍ରେସର ମେଶିନ ଦ୍ୱାରା କଂକ୍ରିଟ କରାଯିବା ପରିବର୍ତ୍ତେ ଠିକାସଂସ୍ଥା ଜେସିବି ମେଶିନରେ ଆରଏମ୍‌ସି ମିକ୍ସର ମେଶିନରୁ କଂକ୍ରିଟ ନେଇ ଢଳେଇ କରାଯାଉଛି। ଭାଇବ୍ରେଟର ମଧ୍ୟ ଠିକ୍‌ ଭାବେ ବ୍ୟବହାର ହେଉନାହିଁ। ଯାଞ୍ଚ କରିବା ଲାଗି ଏନ୍‌ଏଚ୍‌ଏଆଇ ଅଧିକାରୀ ରହୁନାହାନ୍ତି। ଶ୍ରମିକମାନେ ଅସୁରକ୍ଷିତ ଅବସ୍ଥାରେ ବିଳମ୍ବିତ ରାତିରେ କାର୍ଯ୍ୟ କରୁଛନ୍ତି। ଠିକାସଂସ୍ଥା ମନଇଚ୍ଛା କାର୍ଯ୍ୟ କରୁଥିବାବେଳେ ବ୍ରିଜ୍‌ର ସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।
ଏ ନେଇ ଠିକାସଂସ୍ଥା ଜେନେରାଲ ମ୍ୟାନେଜର ବିମଲ ପାଲ କହିଛନ୍ତି, ରବିବାର ଥିବା ଯୋଗୁ ଏନ୍‌ଏଚ୍‌ଏଆଇର ଅଧିକାରୀ ଆସିନାହାନ୍ତି। କାମ ଠିକ ଭାବେ ଚାଲୁଛି। ବୁମ୍‌ ପ୍ରେସର ମେଶିନ ଖୁବଶୀଘ୍ର ଅଣାଯାଇ କାମ କରାଯିବ।