ପ୍ରବଳ ବର୍ଷାରେ ବେହାଲ ଭୋଗରାଇ: ୨୭ ପର୍ଯ୍ୟନ୍ତ ସମୁଦ୍ର ମନା, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଭୋଗରାଇ,୨୩।୯( ପ୍ରଦୀପ ଦାସ ): ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଗାଙ୍ଗେୟ ସମତଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି । ଏଭଳି ସ୍ଥିତିରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଲାଗୁଆ ପଶ୍ଚିମବଙ୍ଗ ସୀମାନ୍ତ ୨ ମେଦିନୀପୁର ଜିଲାରେ ଗତ ସୋମବାର ଅପରାହ୍ନରୁ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା ଲାଗିରହିବାରୁ ଜନଜୀବନ ଦୁର୍ବିସହ ହୋଇପଡିଛି। ଜିଲାରେ ସର୍ବାଧିକ ଭୋଗରାଇ ବ୍ଲକରେ ମଙ୍ଗଳବାର ସକାଳ ୮ ଟା ସୁଦ୍ଧା ୮୮ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ବାହାନଗାରେ ସର୍ବନିମ୍ନ ୫ ମିମି ବର୍ଷା ହୋଇଛି । ପୁଣି ଅପରାହ୍ନରୁ ବିକ୍ଷିପ୍ତ ବର୍ଷା ଲାଗିରହିବାରୁ ରାସ୍ତା ଘାଟରେ ପାଣିର ସ୍ରୋତ ଛୁଟୁଛି। ଜିଲାରେ ସର୍ବମୋଟ ୨୬୦ ମିମି ବର୍ଷା ହୋଇଥିବାର ଜରୁରୀକାଳୀନ ବିଭାଗ ସୂଚନା ଦେଇଛନ୍ତି। ଏହି ଲଘୁଚାପ କ୍ରମଶଃ ପଶ୍ଚିମବଙ୍ଗରୁ ଉତ୍ତର ଓଡ଼ିଶା ଦିଗକୁ ଗତି କରି ଝାଡ଼ଖଣ୍ଡ ଆଡକୁ ମୁହାଉଥିବାର ପାଣିପାଗ ଦପ୍ତର ସୂଚନା ଦେଉଥିବାରୁ ଜଳକା ଓ ସୁବର୍ଣ୍ଣ ରେଖାରେ ୭ମ ବନ୍ୟା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି ସେଚ ବିଭାଗ ପୂର୍ବାନୁମାନ କରିଛି । ଲଘୁଚାପରେ ତୁହାକୁତୁହା ବର୍ଷାହେବାରୁ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ବେଳେ କେବଳ ସ୍କୁଲ କଲେଜ ପରୀକ୍ଷାକୁ ବାଦଦେଲେ ଅଧିକାଂଶ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ସଂଖ୍ୟା କମ୍‌ ଥିବାରୁ ବିଦ୍ୟାଳୟଗୁଡିକ ଛୁଟି ଘୋଷଣା କରାଯାଇଛି। ବର୍ଷା ଜଳରେ ଗାଡ଼ିଆ ପୋଖରୀ ବୁଡି ଯାଇଥିବାବେଳେ ତଳିଆ ଧାନ ଚାଷ ଜମି ଉପରେ ଜଳର ଲହଡି ଭାଙ୍ଗୁଛି । ସାରାଦିନ ଆକାଶ ମେଘାଚ୍ଛନ୍ନ ଥିବାବେଳେ ସମୁଦ୍ର ଅଶାନ୍ତ ହୋଇଛି । ଉଦୟପୁର, ତାଳସାରୀ, ଦୀଘା, ଶଙ୍କରପୁର, ମନ୍ଦାରମଣୀ, ଡଗରା ସହ ଅନ୍ୟାନ୍ୟ ମତ୍ସ୍ୟ ଅବତରଣ କେନ୍ଦ୍ରରେ ମତ୍ସ୍ୟ ବିଭାଗ ପକ୍ଷରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉତ୍ତାଳ ଥିବାରୁ ମତ୍ସ୍ୟଜୀବୀଙ୍କୁ ନଯିବା ଲାଗି ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଉଛି । ଦକ୍ଷିଣ ଓ ଉତ୍ତର ଭୋଗରାଇରେ ତଳିଆ ଗାଁ ଗୁଡିକରେ କେଉଁଠି ବର୍ଷାଜଳ ଜମି ଆଣ୍ଠୁଏ ଉପରକୁ ହୋଇଥିବାବେଳେ ଅନ୍ୟ ସ୍ଥାନରେ ଗାଁ ରାସ୍ତାରେ ପାଣିର ସ୍ରୋତ ଛୁଟୁଛି । ଅନେକ ଲୋକଙ୍କ ଘରେ ପାଣି ମାଡିଯାଇଥିବାରୁ ରୋଷେଇ କାର୍ଯ୍ୟ ନିମନ୍ତେ ହିନସ୍ତା ହେବାକୁ ପଡିଛି । ବଜାର, ହାଟ ଏକ ପ୍ରକାର ଶୂନଶାନ ନଜରକୁ ଆସିଛି । ଭୀଷଣ ବର୍ଷା ଯୋଗୁଁ ଦକ୍ଷିଣପୂର୍ବ ରେଳ ପଥ ହାଉଡ଼ାରୁ ଡାଉନ ଟ୍ରେନ ଗୁଡିକ ବହୁ ବିଳମ୍ବରେ ଓଡ଼ିଶାକୁ ଚଳାଚଳ କରୁଛି। ଦକ୍ଷିଣ ଭୋଗରାଇର ୩୨ ପଞ୍ଚାୟତରେ ଉଦବୃତ୍ତ ବର୍ଷା ପାଣି ନିଷ୍କାସନ ନିମନ୍ତେ ପୂର୍ବସରକାର ଅନୁମୋଦିତ ୯ ୯. ୭ ୬ କୋଟି ଟଙ୍କା ରାଜ୍ୟ ସରକାରଙ୍କ ଶୀତଳ ଭଣ୍ଡାରରେ ଥିବାରୁ ଅବିଳମ୍ବେ କାର୍ଯ୍ୟକାରୀ କରିବାକୁ ଭୋଗରାଇ ଜନସାଧାରଣ ବାରମ୍ବାର ଦାବି କରିଛନ୍ତି। ଚଳିତ ବିଧାନସଭାରେ ବିଧାୟକ ଗୌତମ ବୁଦ୍ଧ ଦାସ ଏ ସଂକ୍ରାନ୍ତରେ ପ୍ରଶ୍ନ ଉଥାପନ କରିଛନ୍ତି। ଆସନ୍ତା ୨୫ ତାରିଖକୁ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେଉଥିବାର ଜଳବାୟୁ ବୈଜ୍ଞାନିକ ମାନେ ପୂର୍ବାନୁମାନ କରିଥିବାବେଳେ ଶାରଦୀୟ ଉତ୍ସବ ଫିକା ପଡିବ ବୋଲି କୁହାଯାଉଛି ।