ଖଡ଼ିଆଳ,୨୫।୯.(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲ୍ଲା ଖଡ଼ିଆଳ ଲୋୟର ଇନ୍ଦ୍ର ଜଳ ସେଚନର ପ୍ରକଳ୍ପର ତିଖାଲି ଡ୍ୟାମର ଦ୍ୱିତୀୟ ବନ୍ୟା ଜଳ ସୁନ୍ଦର ନଦୀରେ ନିଷ୍କାସନ ହୋଇଛି। ଲାଗିରହିଥିବା ଲଘୁଚାପ ଜନିତ ବର୍ଷାକୁ ଆକଳନ କରି ତିଖାଲି ଡ୍ୟାମରେ ପାଣି ଭରି ରହିଛି। ଡ୍ୟାମର ପାରମ୍ପରିକ ପୂଜାର୍ଚ୍ଚନା ପରେ ତିନି ଗୋଟି ଗେଟ ୩,୬ ଓ ୮ ନଂ ଗେଟକୁ ଖୋଲା ଯାଇଛି। ସୁନ୍ଦର ନଦୀରେ ଜଳ ନିଷ୍କାସନ ପୂର୍ବରୁ ନଦୀ କୁଳିଆ ୧୧ ଟି ତଳିଆ ଅଞ୍ଚଳର ଗ୍ରାମ ଗୁଡିକରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ନଦୀ ଭିତରକୁ ନିଜେ କିମ୍ବା ଗୃହ ପାଳିତ ପଶୁଙ୍କୁ ନଛାଡିବାକୁ ସଚେତନ କରା ଯାଇଥିଲା ବୋଲି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ କିଶୋର ଜୟପୂରିଆ ପ୍ରକାଶ କରିଛନ୍ତି।
ଜଳ ଭଣ୍ଡାରରେ ଜଳସ୍ତର କ୍ଷମତା ୨୬୫ ରହିଥିବା ବେଳେ ବୁଧବାର ୨୬୪.୫ ମିଟର ରହିଛି। ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪୭୪ କ୍ୟୁମେକ ପାଣି ସୁନ୍ଦର ନଦୀରେ ନିଷ୍କାସନ ହେଉଛି ଓ ଡ୍ୟାମକୁ ପ୍ରବେଶ କରୁଛି ୪୫୦ କ୍ୟୁମେକ ପାଣି। ଡ୍ୟାମର ୯ ଗୋଟି ଗେଟରୁ କେବଳ ତିନୋଟି ଗେଟ ଖୋଲା ଯାଇଛି। ଆବଶ୍ୟକ ପଡିଲେ ଆହୁରି ଗେଟ ଖୋଲା ଯିବ ବୋଲି ମୁଖ୍ୟ ର୍ନିମାଣ ଦେବଜିତ ରାୟମହାପତ୍ର ପ୍ରକାଶ କରିଥିଲେ। ଏହି ଜଳ ନିଷ୍କାସନ ସମୟରେ ଅଧିକ୍ଷଣ ଯନ୍ତ୍ରୀ ବଙ୍ଗୋମୁଣ୍ଡା ଏ ରାମ ପ୍ରଶାଦ ରାଉତ, ପି ଏ ରୋଜାଳିନୀ ପ୍ରିୟଦର୍ଶିନୀ, ଡ୍ୟାମ ଏସଡିଓ ହେମ କୁମାର ନାୟକ, କେନାଲ ଏସଡ଼ିଓ ସୌରଭ ଦାସ, ଏଇ ଝୁରିଲାଲ ଲୁହାର ଉପସ୍ଥିତ ରହି ବନ୍ୟାଜଳ ନିଷ୍କାସନ କରିଥିଲେ।