ଋଷିକୂଲ୍ୟା ଜଳସ୍ତର ବୃଦ୍ଧି ପାଇବା ସହ ଗଞ୍ଜାମରେ ବନ୍ୟା ପରିସ୍ଥିତି ସୃଷ୍ଟି : ଅନୁଧ୍ୟାନ କଲେ ବିଧାୟକ

ଗଞ୍ଜାମ,୪।୧୦: (ବିଦ୍ୟାଧର ସାହୁ ): ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ଘୋଡ଼ାହାଡ଼ ଡ୍ୟାମରେ ଅଧିକ ପାଣି ଯୋଗୁ ଋଷିକୂଲ୍ୟା ଜଳସ୍ତର ବୃଦ୍ଧି ପାଇବା ସହ ଗଞ୍ଜାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିପାଇଁ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ଓ ତହସିଲ ପ୍ରଶାସନ ସଜାଗ ଥିବା ଜଣା ପଡିଛି । ଜିଲାପାଳ ଭି କୀର୍ତ୍ତି ଭାସନ ସକାଳେ ଋଷିକୂଲ୍ୟା ନଦୀ କୂଳ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ l ସନ୍ଧ୍ୟାରେ ପୁରୁଣା ବନ୍ଧ, ପାଳିବନ୍ଧ, ଗୋଖର କୁଦା ବିଞ୍ଚଣା ପଲି, ସୂର୍ଯ୍ୟ ନାରାୟଣ ପୁର ଆଦି ଗ୍ରାମରେ ବନ୍ୟା ପାଣି ପଶିଥିବା ଖବର ପାଇ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ଉପଜିଲାପାଳ ଶିବାଶିଷ ବରାଳ,ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର,ଛତ୍ରପୁର ଏସଡିପିଓ ଚନ୍ଦନ ଘଡ଼ାଇ, ଆଇଆଇସି ସୁମିତ୍ରା ପାତ୍ର ପ୍ରମୁଖ ଉକ୍ତ ଗ୍ରାମରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ସମସ୍ତ ଅଧିକାରୀ ବନ୍ୟା ପରିସ୍ଥିତି ପାଇଁ ସମ୍ପୂର୍ଣ ସଜାଗ ଥିବା ଜଣା ପଡିଛି। ବେଳକୁ ବେଳ ଋଷିକୂଲ୍ୟା ନଦୀ ଜଳ ସ୍ତର ଅହେତୁକ ବୃଦ୍ଧି ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଋଷିକୂଲ୍ୟା ନଦୀରେ ପ୍ରବଳ ସୁଅରେ ବଡ଼ ବଡ଼ ଗଛ ଭାସି ଆସି ମୁହାଁଣରେ ଲାଗିଯାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ଓ ଜେସିବି ସାହାର୍ଯ୍ୟରେ ସେଗୁଡିକ ଯୁଦ୍ଧ କାଳୀନ ଭିତ୍ତିରେ ବାହାର କରାଯାଇଥିଲା l ଅନ୍ୟପଟେ ଷୋହଳ ନଂ ଜାତୀୟ ରାଜପଥ ପାଶ୍ୱର୍ର୍ ପେଟ୍ରୋଲ ପମ୍ପ ଓ ଢାବା ପର୍ଯ୍ୟନ୍ତ ବନ୍ୟା ପାଣି ଲାଗିଯାଇଥିବା ଦେଖିବାକୁ ମିଳିଛି । ଏଥିସହ ପୁଇଁତୋଳା ଗ୍ରାମ ଶେଷ ମଙ୍ଗଳା ମା ମନ୍ଦିର ପର୍ଯ୍ୟନ୍ତ ବନ୍ୟା ଜଳ ଆସିଥିବା ଦେଖିବାକୁ ମିଳିଛି । ଏଥିପାଇଁ ସମଗ୍ର ଗ୍ରାମବାସୀ ରାତି ଉଜାଗର ରହିବାକୁ ଯୁବ ଗୋଷ୍ଠୀ ଆହ୍ବାନ ଦେଇଛନ୍ତି ।