କଟକ,୧୦।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଭାରତ ଓ ଇଂଲଣ୍ଡ ମହାମୁକାବିଲାରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୪ ଉଇକେଟରେ ବିଜୟୀ ହୋଇ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ କବ୍ଜା କରି ନେଇଛି।
ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪୯.୫ ଓଭରରେ ଇଂଲଣ୍ଡ ସମସ୍ତ ଉଇକେଟ ହରାଇ ୩୦୪ ରନ୍ର ବିଶାଳ ସ୍କୋର ଛିଡା କରିଥିଲା। ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରି ୬.୧ ଓଭର ସୁଦ୍ଧା ବିନା କୌଣସି ଉଇକେଟ ହରାଇ ୪୮ରନ୍ କରିଥିଲା। ମ୍ୟାଚ୍ ଚାଲିଥିବା ବେଳେ ଷ୍ଟାଡିୟମରେ କ୍ଲବ ଟାୱାର ପାଖରେ ଲାଗିଥିବା ଫ୍ଲଡ ଲାଇଟ ହଠାତ୍ ବନ୍ଦ ହୋଇଯାଇଥିଲା। ଫଳରେ ମ୍ୟାଚ୍ ଅଧାରୁ ଅଟକି ଯାଇଥିଲା। ଫ୍ଲଡ ଲାଇଟର ତ୍ରୁଟି ସୁଧାରିବା ପରେ ପୁଣି ମ୍ୟାଚ୍ ଆରମ୍ଭ ହୋଇଥିଲା।
ସୋମବାର ବାରବାଟୀରେ ଫ୍ଲଡ ଲାଇଟ ଲିଭିଯିବା ପ୍ରସଙ୍ଗକୁ ନେଇ କ୍ରୀଡ଼ା ଓ ଯୁବ ବିଭାଗ ପକ୍ଷରୁ ଓସିଏକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। କାହିଁକି ମ୍ୟାଚ୍ ବେଳେ ଲାଇଟ୍ ବନ୍ଦ ହେଲା ତାହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଘଟଣା ପାଇଁ କିଏ ଦାୟୀ ତାକୁ ନେଇ ୧୦ ଦିନରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଯାଇଛି। ଅନ୍ୟପକ୍ଷେ ଖେଳ ବାଧାପ୍ରାପ୍ତକୁ ନେଇ ଦର୍ଶକଙ୍କୁ ନିରାଶ ହେବାକୁ ପଡିଥିଲା। ଏପରିକି ଅନ୍ତର୍ଜାତୀୟ ମ୍ୟାଚ୍ରେ ଏଭଳି ତ୍ରୁଟିକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।