କୁନ୍ଦୁରା,୨୬।୮: କୋରାପୁଟ ଜିଲା କୁନ୍ଦୁରା ବ୍ଲକକୁ ଘେରି ରହିଥିବା କୁର୍ଲୁ ଏବଂ ବିରି ନଦୀ ବ୍ରିଜ ଉପରେ ୩ ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଦିଗାପୁର ନିକଟରେ ରହିଥିବା ବିରି ନଦୀ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ବ୍ଲକ ସଦର ମହକୁମାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିଭଳି ଭାବେ ଲିମା ଏବଂ ଆସନା ନିକଟରେ ଥିବା କୁର୍ଲୁ ନଦୀ ବ୍ରିଜ ଉପରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ସେହିଭଳି ଭାବେ କୁନ୍ଦୁରା ବ୍ଲକକୁ ଘେରି ରହିଥିବା କୋଲାବ ନଦୀରେ ମଧ୍ୟ ବନ୍ୟା ଜଳ ଉଛୁଳୁଥିବା ବେଳେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଅନ୍ୟ ପଟେ ବିଭିନ୍ନ ସ୍ଥାନରେ ଜମି ଗୁଡିକରେ ଲଗାଣ ବର୍ଷା ସାଙ୍ଗକୁ ନଦୀ ଜଳ ଜମିରେ ପଶୁଥିବା ଯୋଗୁ ଚିନ୍ତାରେ ଚାଷୀ କୁଳ ଅଛନ୍ତି। ଦିଗାପୁର ଅଞ୍ଚଳକୁ ଯାଉଥିବା ସରକାରୀ ଆମ ବସ ୫୦ ଜଣ ଯାତ୍ରୀ ଙ୍କୁ ନେଇ ଅଧା ବାଟରେ ଫସି ରହିଛି। ଏହାକୁ ନେଇ ବନ୍ୟାଞ୍ଚଳକୁ ଅତିରିକ୍ତ ତହସିଲଦାର ଅଶୋକ କୁମାର ପାଲ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦିଗାପୁର,ମସିଗାଁ, ଘୁମର, ଲିମା, ଆସନା, କେରିମିଟି ଅଞ୍ଚଳ ବନ୍ୟା ଯୋଗୁ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ବର୍ଷା ନ କମିଲେ ସ୍ଥିତି ସଙ୍ଗୀନ ହେବା ନେଇ ଆଶଙ୍କା ରହିଛି। ସମସ୍ତ ସରକାରୀ କର୍ମଚାରୀ ଯାହାକି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଯୋଗାଣ ସହାୟକ, ରାଜସ୍ବ ନିରୀକ୍ଷକମାନଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପି. ମନସ୍ମିତା ନିଜ ନିଜ ଅଞ୍ଚଳରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।