ବୁଗୁଡା,୨୬ା୧୦(କାଳିଚରଣ ଦାଶ): ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ବାଘୁଆ ଜଳସେଚନ ଉପ-ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପାଳଙ୍କ ପକ୍ଷରୁ ବାଘୁଆ ନଦୀକୂଳସ୍ଥ ଜନସାଧାରଣଙ୍କୁ ସତର୍କ ସୂଚନା ଜାରି କରାଯାଇଛି।
ବାଘୁଆ ଜଳଭଣ୍ଡାରର ପୂର୍ଣ୍ଣ ଜଳଧାରଣ କ୍ଷମତା ୧୧୩.୮୫ ମିଟର (୩୧୦୦ ହେକ୍ଟର ମିଟର) ଥିବା ସ୍ଥଳେ ବର୍ତ୍ତମାନ ୧୧୨.୨୭ ମିଟର (୧୮୭୬.୨୦ ହେକ୍ଟର ମିଟର) ଅର୍ଥାତ୍ ୬୦.୨୩ ପ୍ରତିଶତ ଜଳ ଗଚ୍ଛିତ ରହିଛି। ଆଗାମୀ ସମ୍ଭାବ୍ୟ ବାତ୍ୟାଜନିତ ବର୍ଷା ଲାଗି ରହିଲେ ଯେକୌଣସି ସମୟରେ ଜଳଭଣ୍ଡାର ପୂର୍ଣ୍ଣ ଜଳଧାରଣ କ୍ଷମତାରେ ପହଞ୍ଚି ଯାଇପାରେ। ତେଣୁ ଜଳଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ଅତିରିକ୍ତ ବନ୍ୟାଜଳକୁ ବାଘୁଆ ନଦୀ ମାଧ୍ୟମରେ ନିଷ୍କାସନ କରାଯିବାର ସମ୍ଭାବନା ରହିଛି।
ଏଣୁ, ବାଘୁଆ ନଦୀକୂଳରେ ଅବସ୍ଥିତ ସମସ୍ତ ଗ୍ରାମର ଜନସାଧାରଣ ନଦୀକୁ ଯିବେ ନାହିଁ ଏବଂ ସେମାନଙ୍କ ଗୃହପାଳିତ ପଶୁଙ୍କୁ ନଦୀକୁ ନ ଛାଡିବାକୁ ବାଘୁଆ ଜଳସେଚନ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି।