ନୂଆଦିଲ୍ଲୀ,୨୦।୩(ପି.ଟି.): ଆଧାର ସଂକ୍ରାନ୍ତ ବିବରଣୀ ଅପ୍ଡେଟ୍ (ଅଧୁନାତନ)ରେ ବିଳମ୍ବ ଘଟୁଥିବାରୁ କେନ୍ଦ୍ରୀୟ ସୂଚନା ଆୟୋଗ(ସିଇସି) ଏ ନେଇ ସମୟସୀମା ଧାର୍ଯ୍ୟ କରିବାକୁ ଏକକ ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଆୟୋଗ ଗୁରୁତ୍ୱାରୋପ କରିଛନ୍ତି।
ଜଣେ ମହିଳାଙ୍କ ଆଧାର କାର୍ଡରେ ଜନ୍ମତାରିଖ ସଂଶୋଧନ ପାଇଁ ଅନୁରୋଧକୁ ଠିକ୍ ସମୟରେ ପ୍ରକ୍ରିୟାକରଣ କରାଯାଇ ନ ଥିଲା। ଆବଶ୍ୟକ ଦସ୍ତାବିଜ ଦାଖଲ ସତ୍ତ୍ୱେ ତାଙ୍କ ଅନୁରୋଧ ବହୁ ଦିନ ଧରି ପଡ଼ି ରହିବାରୁ ସେ ଦିଲ୍ଲୀ ହାଇକୋର୍ଟରେ ରିଟ୍ ପିଟିଶନ କରିବାକୁ ବାଧ୍ୟ ହୋଇଥିଲେ। ସିଇସି କହିଛନ୍ତି, ଆବେଦନକାରୀମାନେ ପ୍ରାୟତଃ ଜନ୍ମତାରିଖ, ଲିଙ୍ଗ, ନାମରେ ବନାନଗତ ଅଶୁଦ୍ଧି ଓ ଅନ୍ୟାନ୍ୟ ଜନସାଂଖିକ ବିବରଣୀ ସଂଶୋଧନ ଅଭିଯୋଗ ନେଇ ଆସିଥାଆନ୍ତି, ଯାହା ପ୍ରାୟତଃ ବିଳମ୍ବ ଓ ପ୍ରକ୍ରିୟାରେ ସ୍ପଷ୍ଟତାରେ ଅଭାବ ଯୋଗୁ ଘଟୁଛି। ବ୍ୟବସ୍ଥାଗତ ଉନ୍ନତିର ଆବଶ୍ୟକତାକୁ ଜୋର ଦେଇ ସିଇସି ଜନସାଂଖିକ ବିବରଣୀ ଅପ୍ଡେଟ୍ ପାଇଁ ୟୁଆଇଡିଏଆଇ ତା’ର ବ୍ୟବସ୍ଥାକୁ ଦୃଢ଼ କରିବା ଏବଂ ଏକ ସ୍ବଚ୍ଛ ଓ ଉପଭୋକ୍ତା-ଅନୁକୂଳ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହିପରି ଅନୁରୋଧ ସଂକ୍ରାନ୍ତ ନିଷ୍ପତ୍ତି ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ନିର୍ଦ୍ଧାରଣ କରିବା ଓ ଆବେଦନଗୁଡ଼ିକୁ ପ୍ରଯୁଜ୍ୟ ନିୟମ ଓ ବିଧି ଅନୁଯାୟୀ ସମୟବଦ୍ଧ ଭାବେ ତ୍ୱରାନ୍ବିତ ହେବାକୁ ସୁନିଶ୍ଚିତ କରିବାକୁ କହିଛନ୍ତି। ଆୟୋଗ ମଧ୍ୟ ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ଉନ୍ନତ କରିବା ଉପରେ ଜୋର ଦେଇଛନ୍ତି, ଯାହାଦ୍ୱାରା ନାଗରିକମାନେ ଆର୍ଟିଆଇ ଧାରା ଉପଯୋଗ କରିବାର ଆବଶ୍ୟକତା ବିନା ଠିକ୍ ସମୟରେ ଉତ୍ତର ପାଇବେ। ଆଧାର ବିବରଣୀ ଅପ୍ଡେଟ୍ ପାଇଁ ଆବଶ୍ୟକ ପ୍ରକ୍ରିୟା ଓ ଦସ୍ତାବିଜ ସମ୍ବନ୍ଧରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି।
ୟୁଆଇଡିଏଆଇ ଶୁଣାଣି ସମୟରେ ଆୟୋଗଙ୍କୁ ଜଣାଇଛନ୍ତି ଯେ, ଆବେଦନକାରୀଙ୍କ ଆବେଦନକୁ ବର୍ତ୍ତମାନ ଗୁରୁତ୍ୱର ସହ ବିଚାରକୁ ନିଆଯାଇ ତାଙ୍କ ଜନ୍ମତାରିଖ ସଂଶୋଧନ ହୋଇସାରିଛି। କର୍ତ୍ତୃପକ୍ଷ କହିଛନ୍ତି, ଆର୍ଟିଆଇ ଆବେଦନଟି ସୂଚନା ଅନୁରୋଧ ପରିବର୍ତ୍ତେ ଅଧିକାଂଶ ଅଭିଯୋଗ ସଂକ୍ରାନ୍ତୀୟ ଥିଲା।