ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଆହତମାନେ ହେଲେ ରଜନୀ ଦାସ, ତାଙ୍କ ୨ ପୁଅ ମୋହନ ଦାସ ଓ ନବୀନ ଦାସ, ପୁତୁରା ସନ୍ନ୍ୟାସୀ ଦାସ ଏଥିରେ ଅପର ଗୋଷ୍ଠୀର ଗଣେଶ ଦାସ ଓ ପ୍ରହଲ୍ଲାଦ ଦାସ ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ସନ୍ନ୍ୟାସୀ ଦାସଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଏଠାରୁ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଗାଁରେ ଏହି ଘଟଣା ନେଇ ଉତ୍ତେଜନା ସୃଷ୍ଟି ହୋଇଛି। କିଛି ମହିଳା ବୁଧବାର ହିଞ୍ଜିଳି ଥାନାରେ ପହଞ୍ଚି ଦୋଷୀଙ୍କୁ ଗିରଫ ଦାବି କରିଛନ୍ତି। ହିଞ୍ଜିଳି ପୋଲିସ ଗାଁରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଛି। ଅନ୍ୟପକ୍ଷରେ ଆହତ ରଜନୀଙ୍କ ଅଭିଯୋଗ କ୍ରମେ ପୋଲିସ ଥାନାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ପ୍ରକାଶ ଯେ, କିଛି ଦିନ ପୂର୍ବରୁ ସଂଘର୍ଷରେ ଗୁରୁତର ଆହତ ସନ୍ନ୍ୟାସୀ ଦାସଙ୍କ ପରିବାରଙ୍କୁ ଗାଁରେ ଏକ କୁଳ ବୈଠକରେ ବାସନ୍ଦ କରାଯାଇଥିଲା। କୁଳରେ ମିଶିବା ପାଇଁ ସନ୍ନ୍ୟାସୀଙ୍କ ପରିବାରଙ୍କୁ ୫୦ ହଜାର ହଜାର ଜରିମାନା ଲଗାଯାଇଥିଲା। ଯାହାକୁ ସନ୍ନ୍ୟାସୀଙ୍କ ପରିବାର ବିରୋଧ କରିଥିଲେ। ଉକ୍ତ ଘଟଣାକୁ କେନ୍ଦ୍ର କରି ସନ୍ନ୍ୟାସୀ ଓ ତାଙ୍କର ଅପର ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ମଙ୍ଗଳବାର ରାତିରେ ପୂର୍ବ ବାସନ୍ଦ ଓ ଜରିମାନା ଘଟଣାକୁ କେନ୍ଦ୍ରକରି ୨ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।