ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡ – ପୁଞ୍ଜିକଂୟା ଛକ ମୁଖ୍ୟ ରାସ୍ତାକଡ଼ରେ ଥିବା ମାଛ ଦୋକାନରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧ ଟାରେ କିଛି ଅସାମାଜିକ ଯୁବକ ପହଞ୍ଚି ମାଛ ବ୍ୟବସାୟୀ ଗଣେଶ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ଦିଗପହଣ୍ଡି ଥାନା ଏଏସ୍ଆଇ ଦିଲୀପ କୁମାର ଗୋରଡ଼ା ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ସାହାଣୀ ସାହିର ସୁରେଶ ଓରଫ ସୁରଜ ଦାସ। ଥାନା ମାମଲା ନଂ.୪୦୮/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଘଟଣାଦିନ ତିଳେଶ୍ୱର ଗ୍ରାମର ଏସ.ଜଗନ୍ନାଥ ଦୋରା ମାଛ ଦୋକାନ ପାଖରେ ଠିଆ ହୋଇଥିବା ବେଳେ ଅଭିଯୁକ୍ତ ଏବଂ ତାଙ୍କ କିଛି ସହଯୋଗୀ ତାଙ୍କୁ ୧ ହଜାର ଟଙ୍କା ଦାଦା ବଟି ମାଗିଥିଲେ।ସେ ମନା କରିବାରୁ ତାଙ୍କୁ ସେମାନେ ମାଡ଼ ମାରିଥିଲେ। ମାଛ ବ୍ୟବସାୟୀ ପ୍ରତିବାଦ କରିବାରୁ ସେମାନେ ପଳାଇଥିଲେ।କିଛି ସମୟ ପରେ ସୁରେଶ ଓ ପ୍ରାୟ ୧୦ ରୁ ଉଦ୍ଧର୍ବ ଯୁବକ ସେଠାରେ ପହଞ୍ଚି ମାଛ ବ୍ୟବସାୟୀ ଙ୍କ ସମେତ ସେଠାରେ ଥିବା ଆଦି ପାଣିଗ୍ରାହୀ,ଜଗନ୍ନାଥ ଦୋରା ଙ୍କୁ ବିଭିନ୍ନ ମାରଣାସ୍ତ୍ର ଦାରା ଘାତକ ଆକ୍ରମଣ କରି ଚମ୍ପଟ ମାରିଥିଲେ। ଏନେଇ ଗଣେଶ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।