ବାତ୍ୟାରେ ମାଛ ଧରୁଛନ୍ତି ମତ୍ସ୍ୟଜୀବୀ: ଆରଡିରେ ଝୁଲୁଛି ତାଲା

ଭଞ୍ଜନଗର,୨୮ା୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବାତ୍ୟା ‘ମୋନ୍ଥା’ ପାଇଁ ମଙ୍ଗଳବାର ଦିନ ତମାମ କୋହଲା ପାଗ ରହିଛି। ବେଳେବେଳେ ଝିପଝିପି ବର୍ଷା ହେଉଥିଲା। ସନ୍ଧ୍ୟାରୁ ବର୍ଷା ପରିମାଣ ବଢ଼ିଛି। ତେବେ ବାତ୍ୟା ପାଇଁ ମତ୍ସ୍ୟଜୀବୀମାନେ ଚିନ୍ତାରେ ରହିଛନ୍ତି। ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ସବୁ ପ୍ରକାର ଆଗୁଆ ପଦକ୍ଷେପ ନେଇଥିଲେ ମଧ୍ୟ ବର୍ଷା ଚାଲିଥିବା ସମୟରେ ମତ୍ସ୍ୟଜୀବୀମାନେ ଭଞ୍ଜନଗର ଜଳଭଣ୍ଡାରରେ ମାଛ ଧରୁଥିବା ଲକ୍ଷ୍ୟ କରାଯାଇଛି। ଜିଲାରେ ସମସ୍ତ ଅଧିକାରୀଙ୍କ ବାତ୍ୟା ପାଇଁ ଛୁଟି ବାତିଲ ହୋଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ବିଭାଗରେ କାର୍ଯ୍ୟାଳୟ ନିର୍ଦ୍ଧାରିତ ସମୟରେ ଖୋଲି ନ ଥିଲା । ବିଭାଗର ଜଣେ ଯନ୍ତ୍ରୀଙ୍କୁ ପଚାରିବାରୁ କାର୍ଯ୍ୟାଳୟ ଖୋଲାଥିବା କହିଥିଲେ।
ବିଭିନ୍ନ ସ୍ଥାନରେ ବାତ୍ୟା ପାଇଁ ଓଡ୍ରାଫ ଟିମ ମୁତୟନ ହୋଇଛନ୍ତି। ତଳୁଆ ଅଞ୍ଚଳରେ ଥିବା ଲୋକଙ୍କୁ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା। ଉପଜିଲାପାଳ ଉମାଶଙ୍କର ବେହେରା ଓ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନ ଘଣ୍ଟାକୁ ଘଣ୍ଟା ସ୍ଥିତି ପରୀକ୍ଷା କରିଛନ୍ତି। ତେବେ ଭଞ୍ଜନଗର, ସୋରଡା, ଡହ ଓ ବାଘୁଆ ଜଳଭଣ୍ଡାର ଜଳସ୍ତର ବିପଦସଙ୍କେତ ତଳେ ଅଛି। ରାତିରେ ଅଧିକ ବର୍ଷା ହେବା ଆଶଙ୍କାରେ ଜଳଭଣ୍ଡାରରେ ଯାହା ପାଣି ପଶୁଥିଲା ତାକୁ କେନାଲ ଓ ନଦୀରେ ଛଡାଯଇଛି। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ କିଛି ଅଘଟଣ ଆଶଙ୍କାରେ ମଧ୍ୟ ପ୍ରଶାସନ ପଦକ୍ଷେପ ନେଇଛି।

Dharitri – Odisha’s No.1 Odia Daily