ବେଆଇନ ଭାବେ ମାଛ ଧରୁଥିବାବେଳେ ଆନ୍ଧ୍ରପ୍ରଦେଶର ଦୁଇ ଡଙ୍ଗାକୁ ଧରିଲା ମତ୍ସ୍ୟବିଭାଗ, ତାଗିଦ ପରେ…

ଛତ୍ରପୁର, ୧୧।୧୦ (ଦିଲ୍ଲୀପ ସାମଲ) ଆର୍ଯ୍ୟପଲ୍ଲୀ ସମୁଦ୍ରକୁ ବେଆଇନ ଭାବେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଅଧିକାଂଶ ସମୟରେ ବଡ ବଡ ଡଙ୍ଗା ଓ ଟ୍ରଲର ଆସି ଏଠାରେ ବଡ ବଡ ଜାଲରେ ମାଛ ମାରୁଥିବା ନେଇ ସ୍ଥାନୀୟ ମତ୍ସ୍ୟଜୀବୀମାନେ ବହୁବାର ଅଭିଯୋଗ କରିଆସୁଥିଲେ । ଏନେଇ ସୋମବାର କିଛି ବଡ ବଡ ଡଙ୍ଗା କାକିନଡା ଓ ବିଶାଖାପଟନମରୁ ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ମାଛ ମାରୁଥିବା ଛତ୍ରପୁର ସାମୁଦ୍ରିକ ମତ୍ସ୍ୟବିଭାଗ ଜାଣିପାରି ଦୁଇଟି ଡଙ୍ଗାକୁ ଜବତ କରି ଜେଟି ନିକଟକୁ ଆଣିଥିଲା । ସୀମା ପାର୍‌ କରି ବେଆଇନ ଭାବେ ମାଛ ମାରୁଥିବାରୁ ସେମାନଙ୍କ ମତ୍ସ୍ୟଜୀବୀମାନଙ୍କୁ ବିଭାଗ ପକ୍ଷରୁ ତାଗିଦ କରାଯାଇଥିଲା । ପରେ ଦୁଇ ଡଙ୍ଗାକୁ ଛଡାଯାଇଥିଲା। ଯେପରି ଏହାର ପୁନାରୁବୃର୍ତ୍ତି ନହେବ ସେଥିପ୍ରତି ଧ୍ୟାନ ଦେବାକୁ ସେମାନଙ୍କୁ କଡାନିର୍ଦ୍ଦେଶ ଦିଆଯାଇଥିଲା । ଯଦି ପୁଣି ବେଆଇନ ଭାବେ ଏଠାକୁ ଆସି ମାଛ ଧରିବେ ସେମାନଙ୍କ ଡଙ୍ଗାକୁ ଜବତ କରାଯିବ ବୋଲି ଛତ୍ରପୁର ସାମୁଦ୍ରିକ ମତ୍ସ୍ୟବିଭାଗ ପକ୍ଷରୁ କୁହାଯାଇଛି । ଏପରିକି ମେ ୩୧ ପ୍ରର୍ଯ୍ୟନ୍ତ ଆର୍ଯ୍ୟପଲ୍ଲୀ ଠାରୁ ପ୍ରୟାଗି ପ୍ରର୍ଯ୍ୟନ୍ତ ନୋ ଫିସିଙ୍ଗ ଜୋନ୍‌ ରହିଛି । ବେଆଇନ ଭାବେ ଆନ୍ଧ୍ରରୁ ବଡ ବଡ ଡଙ୍ଗା ଓ ଟ୍ରଲର ଆସି ବଡ ବଡ ଜାଲରେ ବେଆଇନ ଭାବେ ମାଛ ଧରି ନେଇଯାଉଥିବା ବେଳେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଛୋଟ ଡଙ୍ଗା ଓ ଜାଲ ଥିବାରୁ ସେମାନଙ୍କ ଜାଲରେ ମାଛ ସଂଖ୍ୟା କମିଯାଉଥିଲା । ଏନେଇ ସେମାନେ ବହୁବାର ଅଭିଯୋଗ କରିଆସୁଥିଲେ ।

 

Dharitri – The Largest & Most Trusted Odia Daily