ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ନଦୀରେ ବିପୁଳ ପରିମାଣର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ମାଛ ମରିବା ଦ୍ବାରା ସମ୍ପୃକ୍ତ ଅଞ୍ଚଳରେ ଦୁର୍ଗନ୍ଧ ହେଉଛି।
ମାଛ ମଧ୍ୟରେ ଚାଇନା କଉ, ମାଗୁର, ଶେଉଳ ଆଦି ଅଛନ୍ତି। ଉକ୍ତ ନଦୀରେ କଲିକତି ଦଳ ଭର୍ତ୍ତି ହୋଇରହିଛି। ଯେଉଁ କେତେକ ସ୍ଥାନରେ ଖାଲି ଅଛି ସେଠାରେ ମାଛ ଦେଖିବାକୁ ମିଳିଛି। ଦଳ ତଳେ ଅଧିକ ମାଛ ରହିଛି ବୋଲି ସ୍ଥାନୀୟ ବାସିନ୍ଦା ଶିବ ବିଶ୍ବାଳ କୁହନ୍ତି।
ଘଟଣା ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ପୁଷ୍କରଚନ୍ଦ୍ର ବେହେରାଙ୍କୁ ପଚାରିଲେ କୁହନ୍ତି, ଉକ୍ତ ନଦୀରେ ସହରର ଆବର୍ଜନା ଭର୍ତ୍ତି ହୋଇ ରହିଛି। ତାହା ପାଣିରେ ପଚି ଥିଲା। ବର୍ଷା ଖରା ଯୋଗୁ ତାହା ଅମ୍ଲଜାନ ହ୍ରାସ ପାଇବାରୁ ମାଛ ମରିଛନ୍ତି। ତଥାପି ଆମେ ମଲା ମାଛ ଓ ପାଣି ନମୁନା ସଂଗ୍ରହ କରି ପରୀକ୍ଷା କରିବୁ।
ସୂଚନାଯୋଗ୍ୟ ୨୦୨୪ ଜୁଲାଇ ମାସରେ ଏହି ଯୋରରେ ସମାନ ଭାବେ ପ୍ରଚୁର ମାଛ ମରିଥିଲେ।
Dharitri – Odisha’s No.1 Odia Daily