ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ ଜଣେ ଯୁବକ ବଳପୂର୍ବକ ଅପହରଣ କରିନେଇଥିବା ଆଶଙ୍କା ପ୍ରକଟ କରିଛନ୍ତି ପରିବାର ଲୋକେ । ଅଭିଯୋଗ ପ୍ରକାରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଥିବା ନାବାଳିକା ଛାତ୍ରୀ ଜଣକ ଗତକାଲି ସେ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜତି ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ଫାଇନାଲ ପରୀକ୍ଷା ଦେବାପାଇଁ ଯାଇଥିଲେ । ନାବାଳିକା ଛାତ୍ରୀ ଜଣକ କଲେଜ ୟୁନିଫର୍ମ ପରିଧାନ କରିଥିବା ବେଳେ ସେ ଆଉ ଘରକୁ ଫେରି ନଥିଲେ । ଦୀର୍ଘ ସମୟ ଧରି ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି ଏବଂ ତାଙ୍କ ସମ୍ପର୍କେ ସାଙ୍ଗସାଥିଙ୍କ ଠାରୁ ଆରମ୍ଭ କରି ସମ୍ପର୍କୀୟମାନଙ୍କୁ ପଚରାଉଚରା କରିଥିଲେ ମଧ୍ୟ ଆଜି ସୁଦ୍ଧା ନମିଳିବାରୁ ଥାନାର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗରେ ଦର୍ଶାଇଛନ୍ତି ଯେ ଜଣେ ଯୁବକ ସବୁବେଳେ ତାଙ୍କ ଝିଅକୁ ଅନୁସରଣ କରୁଥିଲେ । ଏପରିକି ନିୟମିତ ମନ୍ତବ୍ୟ ଦେଉଥିଲେ । ଥରେ ଛାତ୍ରୀ ଜଣଙ୍କୁ କୌଣସି କ୍ରମେ ପର୍ଯ୍ୟଟନସ୍ଥଳୀ ଗଣ୍ଡାହାତୀକୁ ବଣଭୋଜି ପାଇଁ ବାଧ୍ୟ କରି ନିଆଯାଇଥିଲା ଏବଂ ସେଠାରେ ନାବାଳିକା ଛାତ୍ରୀ ଜଣଙ୍କୁ ଏକ କୋଠରୀକୁ ନେଇ ତାଙ୍କ ବିରୁଦ୍ଧରେ ଜୋରଜବରଦସ୍ତ ଯୌନ ନିର୍ଯାତନା ଦେଇଥିଲେ । କିନ୍ତୁ କ୍ୟାରିୟର ଏବଂ ପରିବାରର ଭବିଷ୍ୟତ ଏବଂ ସମ୍ମାନ ବିଷୟରେ ସେମାନେ ପୂର୍ବରୁ ରିପୋର୍ଟ କରି ନ ଥିବାର ଉଲ୍ଲେଖ କରିଛନ୍ତି । ସେହି ସମୟରେ ଛାତ୍ରୀଙ୍କ ପରିବାର ଯୁବକ ଜଣକୁ ଚେତାବନୀ ଦେଇଥିଲେ ଏବଂ ସେହି ଯୁବକ ଜଣକ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ତାଙ୍କ ଝିଅ ସହିତ କୌଣସି ସମ୍ପର୍କ ରଖିବେ ନାହିଁ । ତେବେ ସେହି ଯୁବକ ଜଣକ ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ୧୦.୦୨.୨୦୨୬ ରେ ସେମାନେ ଜାଣିବାକୁ ପାଇଲେ ଯେ ତାଙ୍କ ଝିଅ ଗତକାଲି କଲେଜରୁ ଫେରିବା ସମୟରେ ସେହି ଯୁବକ ଜଣକ ତାଙ୍କ ଝିଅକୁ ଜୋରଜବରଦସ୍ତ ତାଙ୍କ ମୋଟରସାଇକେଲରେ ନେଇଯାଇଥିବାର ଅଭିଯୋଗରେ ଦର୍ଶାଇଛନ୍ତି । ତାଙ୍କ ଝିଅଙ୍କ ଉଚ୍ଚତା ୫ ଫୁଟ ରହିଥିବା ବେଳେ ସୁନା ଚେନ୍, ସୁନା ମୁଦି ଏବଂ କାନ ମୁଦି ପରିଧାନ କରିଥିବା ବେଳେ କଲେଜ ବ୍ୟାଗ ଧରିଛନ୍ତି ବୋଲି ଅଭିଯୋଗ ହୋଇଛି । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଦାୟିତ୍ବ ଏସଆଇ ବଳରାମ ବେହେରାଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ।