New Zealand cricket captain Kane Williamson celebrates on reaching his century during play on day two of the first cricket test between Pakistan and New Zealand at Bay Oval, Mount Maunganui, New Zealand, Sunday, Dec. 27, 2020. (Andrew Cornaga/Photosport via AP)
ମାଉଣ୍ଟ ମାଉନଗାନୁଇ,୨୮।୧୨(ଏପି): ଅଧିନାୟକ କେନ୍ ଓ୍ବିଲିୟମସନ୍ଙ୍କ ଶତକ, ହେନେରୀ ନିକୋଲ୍ସ ଓ ବିଜେ ଓ୍ବାଟଲିଂଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ନ୍ୟୁଜିଲାଣ୍ଡ ଭ୍ରମଣକାରୀ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ସ୍ଥିତି ଦୃଢ଼ କରିଛି। ଟସ୍ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୧୫୫ ଓଭରରେ ୪୩୧ ରନ ସଂଗ୍ରହ କରି ଅଲଆଉଟ ହୋଇଛି। ଜବାବରେ ପାକିସ୍ତାନ ପ୍ରଥମ ଇନିଂସ ଆରମ୍ଭ କରି ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୨୦ ଓଭରରେ ଗୋଟିଏ ଉଇକେଟ ହରାଇ ୩୦ ରନ ସଂଗ୍ରହ କରିଛି। ଫଳରେ ପାକିସ୍ତାନ ଏବେ ୪୦୧ ରନ ପଛରେ ପଡିଛି। ଏକମାତ୍ର ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ଓପନର ଶାନ ମାସୁଦ ୧୦ ରନକରି ଉଇକେଟକିପର ବିଜେ ଓ୍ବାଟଲିଂଙ୍କୁ କ୍ୟାଚ୍ ଦେଇ କାଏଲ ଜେମିଶନଙ୍କ ଶିକାର ହୋଇଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଆବିଦ ଅଲି ୧୯ ଓ ମହମ୍ମଦ ଆବାସ ବିନା ସ୍କୋରରେ ଅପରାଜିତ ରହିଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୨୨/୩ରୁ ଖେଳ ଆରମ୍ଭ କରି ନ୍ୟୁଜିଲାଣ୍ଡ ଅଲଆଉଟ ହୋଇଥିଲା। ଓଭରନାଇଟ୍ ବ୍ୟାଟ୍ସମ୍ୟାନ ଓ୍ବିଲିୟମସନ ୯୪ରୁ ଖେଳ ଆରମ୍ଭ କରି ୧୨୯ ରନର ଶତକୀୟ ପାଳି ଖେଳି ୟାସିର ଶାହାଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏଥିସହିତ ଓ୍ବିଲିୟମସନ କ୍ୟାରିୟରର ୨୩ତମ ଟେଷ୍ଟ ଶତକ ଅର୍ଜନ କରିଛନ୍ତି। ସେହିପରି ୪୨ରୁ ଖେଳ ଆରମ୍ଭ କରି ହେନେରୀ ନିକୋଲ୍ସ ୫୬ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ଏହାପରେ ବିଜେ ଓ୍ବାଟଲିଂ ୭୩, ଜେମିଶନ ୩୨, ନେଲ ଓ୍ବାଗନର ୧୯ ରନ ସଂଗ୍ରହ କରିଥିଲେ। ଅଭିଜ୍ଞ ରସ୍ ଟେଲର ଓ ନିକୋଲ୍ସଙ୍କ ସହ ମିଳିତ ଭାବେ ଓ୍ବିଲିୟମସନ ତୃତୀୟ ଓ ଚତୁର୍ଥ ଉଇକେଟ ଯୋଡିରେ ଯଥାକ୍ରମେ ୧୨୦ ଓ ୧୩୩ ରନ ସଂଗ୍ରହ କରିଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ଶାହିଦ ଆଫ୍ରିଦି ସର୍ବାଧିକ ୪, ୟାସିର ଶାହା ୩, ମହମ୍ମଦ ଆବାସ, ଫହିମ ଆଶ୍ରଫ ଓ ନସିମ ଶାହା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୧୫୫ ଓଭରରେ ୪୩୧ ଅଲଆଉଟ
(ଓ୍ବିଲିୟମସନ- ୧୨୯, ଟେଲର- ୭୦, ନିକୋଲ୍ସ- ୫୬, ଓ୍ବାଟଲିଂ- ୭୩, ଜେମିଶନ- ୩୨, ଶାହିଦ ଆଫ୍ରିଦି- ୪/୧୦୯, ୟାସିର- ୩/୧୧୩)।
ପାକିସ୍ତାନ ପ୍ରଥମ ଇନିଂସ: ୨୦ ଓଭରରେ ୩୦/୧
(ଆବିଦ- ୧୯*, ମାସୁଦ-୧୦, ଜେମିଶନ-୧/୫)।