SOUTHAMPTON, ENGLAND - JULY 10: Kraigg Brathwaite of the West Indies celebrates his half century during Day Three of the 1st #RaieTheBat Test Series between England and The West Indies at The Ageas Bowl on July 10, 2020 in Southampton, England. (Photo by Stu Forster/Getty Images for ECB)
ସାଉଥାମ୍ପଟନ, ୧୦।୭-ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। କ୍ରେଗ୍ ବ୍ରାଥ୍ଓ୍ବେଟ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଶାମରା ବ୍ରୁକ୍ସ, ରଷ୍ଟନ ଚେଜ୍ ଏବଂ ଶେନ ଡୋରିଚ୍ ଉପଯୋଗୀ ବ୍ୟାଟିଂ କରି ଭ୍ରମଣକାରୀ ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଛନ୍ତି। ଶୁକ୍ରବାର ତୃତୀୟ ଦିବସରେ ଖବର ମିଳିବା ବେଳକୁ ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟ ହରାଇ ୨୬୯ ରନ ସଂଗ୍ରହ କରିଛି। ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୨୦୪ ରନ କରି ଅଲଆଉଟ ହୋଇ ଯାଇଥିଲା।
ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୫୭/୧ରୁ ଖେଳ ଆରମ୍ଭ କରିଥିବା ଓ୍ବେଷ୍ଟଇଣ୍ଡିଜ ତୃତୀୟ ଦିବସ ପ୍ରଥମ ସେସନରେ ଆଉ ୨ ଉଇକେଟ ହରାଇଥିଲା। ଶାଇ ହୋପ୍ ୧୬ ଏବଂ ବ୍ରାଥଓ୍ବେଟ୍ ୬୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ୧୨୫ଟି ବଲ୍ର ସମ୍ମୁଖୀନ ହୋଇଥିବା ବ୍ରାଥଓ୍ବେଟ ନିଜ ଇନିଂସ ମଧ୍ୟରେ ୬ ଚୌକା ମାରିଥିଲେ। ଏହା ଥିଲା ତାଙ୍କ ଟେଷ୍ଟ କ୍ୟାରିୟରର ୧୮ତମ ଅର୍ଦ୍ଧଶତକ। ହୋପ୍ ସ୍ପିନର ଡମ୍ ବେସ୍ଙ୍କ ଶିକାର ହୋଇଥିବାବେଳେ ବ୍ରାଥଓ୍ବେଟ୍ଙ୍କ ଇନିଂସର ପରିସମାପ୍ତି ଘଟାଇଥିଲେ ଅଧିନାୟକ ବେନ୍ ଷ୍ଟୋକ୍ସ। ଦ୍ୱିତୀୟ ସେସନରେ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନେ ଭଲ ବ୍ୟାଟିଂ କରିଥିଲେ। ଏକାଗ୍ରତାର ସହିତ ଖେଳି ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବ୍ରୁକ୍ସ ୩୯ ରନ କରିଥିବାବେଳେ ଜେମ୍ସ ଆଣ୍ଡରସନଙ୍କ ବଲ୍ରେ ଉଇକେଟ କିପର ଜୋସ ବଟଲରଙ୍କୁ କ୍ୟାଚ ଦେଇ କ୍ରିଜ୍ ଛାଡ଼ିଥିଲେ। ବ୍ରୁକ୍ସ ରିଭ୍ୟୁ ମାଗିଥିଲେ ହେଁ ନିଷ୍ପତ୍ତି ତାଙ୍କ ବିପକ୍ଷରେ ଯାଇଥିଲା। ଜେର୍ମିନ ବ୍ଲାକ୍ଉଡ୍ ମାତ୍ର ୧୨ ରନ କରିବାକୁ ସକ୍ଷମ ହୋଇଥିଲେ। ତେବେ ରଷ୍ଟନ ଚେଜ୍ ଏବଂ ଉଇକେଟ କିପର ଶେନ ଡୋରିଚ୍ ଲଢ଼ୁଆ ପ୍ରଦର୍ଶନ କରି ଦଳକୁ ବଡ଼ ଅଗ୍ରଣୀ ଆଡ଼କୁ ନେଇ ଯାଇଥିଲେ। ଦୁହେଁ ୬ଷ୍ଠ ଉଇକେଟରେ ମୂଲ୍ୟବାନ ୮୧ ରନର ଭାଗୀଦାରି ଗଢ଼ିଥିଲେ। ଚେଜ୍ ୧୪୨ ବଲ୍ରୁ ୬ ଚୌକା ସହାୟତାରେ ୪୭ ରନ କରିଥିବାବେଳେ ଅଣ୍ଡରସନଙ୍କ ଏକ ବଲ୍କୁ ଖେଳିବାରେ ବିଫଳ ହୋଇଥିଲେ। ବଲ୍ ତାଙ୍କ ଉଭୟ ପ୍ୟାଡ୍କୁ ହିଟ୍ କରିଥିଲା। ଅମ୍ପାୟର ବ୍ୟାଟ୍ରେ ବଲ୍ ବାଜିଥିବା ସନ୍ଦେହ କରି ଆଉଟ ଦେଇ ନ ଥିଲେ। ମାତ୍ର ଇଂଲଣ୍ଡ ରିଭ୍ୟୁ ନେବାପରେ ବଲ୍ ଟ୍ରାକିଂରେ ସେ ଏଲବିଡବ୍ଲ୍ୟୁ ଆଉଟ ହୋଇଥିବା ସ୍ପଷ୍ଟ ହୋଇଥିଲା। ଇଂଲଣ୍ଡ ବୋଲରଙ୍କ ମଧ୍ୟରେ ଜେମ୍ସ ଆଣ୍ଡରସନ ୩ଟି, ଡମ୍ ବେସ୍ ୨ଟି ଏବଂ ବେନ୍ ଷ୍ଟୋକ୍ସ ଗୋଟିଏ ଉଇକେଟ ନେଇଥିଲେ।