TAURANGA, NEW ZEALAND - DECEMBER 30: Mitchell Santner and New Zealand celebrate the final wicket of Naseem Shah of Pakistan to win the match during day five of the First Test match in the series between New Zealand and Pakistan at Bay Oval on December 30, 2020 in Tauranga, New Zealand. (Photo by Phil Walter/Getty Images)
ମାଉଣ୍ଟ ମାଉନ୍ଗାନୁଇ,୩୧।୧୨(ଏପି): ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ୧୦୧ ରନରେ ବିଜୟ ହାସଲ କରିଛି। ଦୁଇ ମ୍ୟାଚବିଶିଷ୍ଟ ସିରିଜ୍ରେ ନ୍ୟୁଜିଲାଣ୍ଡ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସର ୧୨୯ ରନର ଶତକୀୟ ଇନିଂସ ଖେଳିଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ବିଲିୟମସନ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
ପ୍ରଥମ ଇନିଂସରେ ୧୯୨ ରନର ଅଗ୍ରଣୀ ହାସଲ କରିଥିବା ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୪୫.୩ ଓଭରରେ ୫ ଉଇକେଟ ହରାଇ ୧୮୦ ରନକରି ପାଳି ଘୋଷଣା କରିଥିଲା। ଫଳରେ ପାକିସ୍ତାନ ସମ୍ମୁଖରେ ୩୭୩ ରନର ଟାର୍ଗେଟ୍ ଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ପାକିସ୍ତାନ ବୁଧବାର ପଞ୍ଚମ ଦିନରେ ୧୨୩.୩ ଓଭରରେ ୨୭୧ ରନ କରି ଅଲ୍ଆଉଟ ହୋଇଥିଲା ଓ ବୃହତ୍ ୧୦୧ ରନରେ ପରାସ୍ତ ହୋଇଥିଲା।
ଚତୁର୍ଥ ଦିବସର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୭୧/୩ରୁ ପାକିସ୍ତାନ ଖେଳ ଆରମ୍ଭ କରିଥିଲା। ଓଭରନାଇଟ୍ ବ୍ୟାଟ୍ସମ୍ୟାନ ଆଝାର ଅଲୀ ୩୪ ରନରୁ ଖେଳ ଆରମ୍ଭ କରି ୩୮ ରନରେ ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା ଆଉଟ ହୋଇଥିଲେ। ସେହିପରି ଓ ଫଓ୍ବାଦ ଆଲମ ୨୧ରୁ ଖେଳ ଆରମ୍ଭ କରି ଲଢୁଆ ପ୍ରଦର୍ଶନ କରିବା ସହ ୧୦୨ ରନର ଶତକୀୟ ପାଳି ଖେଳିଥିଲେ ଓ କ୍ୟାରିୟର ଦ୍ୱିତୀୟ ଟେଷ୍ଟ ଶତକ ହାସଲ କରିଥିଲେ। ଅଧିନାୟକ ତଥା ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ୬୦ ଓ ଫହିମ ଆଶ୍ରଫ୍ ୧୯ ରନ ସଂଗ୍ରହ କରିଥିବା ବେଳ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସୌଦି, ଟ୍ରେଣ୍ଟ ବୋଲ୍ଟ, କାଏଲ ଜେମିଶନ, ନିଲ ଓ୍ବାଗନର ଓ ମିଚେଲ ସାଣ୍ଟନର ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୧୫୫ ଓଭରରେ ୪୩୧ ଅଲଆଉଟ।
ପାକିସ୍ତାନ ପ୍ରଥମ ଇନିଂସ: ୧୦୨.୨ ଓଭରରେ ୨୩୯ ଆଲଆଉଟ।
ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ: ୪୫.୩ ଓଭରରେ ୧୮୦/୫ ଇନିଂସ ଘୋଷଣା।
ପାକିସ୍ତାନ ଦ୍ୱିତୀୟ ଇନିଂସ: ୧୨୩.୩ ଓଭରରେ ୨୭୧ ଅଲଆଉଟ (ଫଓ୍ବାଦ ଆଲମ- ୧୦୨, ମହମ୍ମଦ ରିଜଓ୍ବାନ- ୬୦, ଆଝାର ଅଲି- ୩୮, ଫହିମ ଆଶ୍ରଫ୍-୧୯, ସୌଦି- ୨/୩୩, ବୋଲ୍ଟ- ୨/୭୨, ଜେମିସନ- ୨/୩୫, ସାଣ୍ଟନର ୨/୫୨)।