Pakistan's Fawad Alam (2R) celebrates after scoring a century (100 runs) next to his teammate Faheem Ashraf (L) during the second day of the first cricket Test match between Pakistan and South Africa at the National Stadium in Karachi on January 27, 2021. (Photo by Asif HASSAN / AFP) (Photo by ASIF HASSAN/AFP via Getty Images)
କରାଚୀ,୨୮।୧(ପି.ଟି.): କରାଚୀ ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଘରୋଇ ପାକିସ୍ତାନ ଦମ୍ଦାର ପ୍ରତ୍ୟାବର୍ତ୍ତନ କରିଛି। ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ ଫଓ୍ବାଦ ଆଲମଙ୍କ ଶତକ, ଆଝାର ଅଲୀ ଓ ଫହିମ ଆଶ୍ରଫ୍ଙ୍କ ଅର୍ଦ୍ଧଶତକ ସହାୟତାରେ ପାକିସ୍ତାନ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୬୯.୨ ଓଭରରେ ୨୨୦ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ପାକିସ୍ତାନ ୨୭ ରନରେ ୪ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲେ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଥିଲା। ବୁଧବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ପାକିସ୍ତାନ ୧୦୭ ଓଭରରେ ୮ ଉଇକେଟ ହରାଇ ୩୦୮ ରନ ସଂଗ୍ରହ କରିଛି। ୨ ଉଇକେଟ ହାତରେ ରଖି ପାକିସ୍ତାନ ଏବେ ୮୮ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ହାସନ ଅଲୀ ୧୧ ଓ ନୌମାନ ଅଲୀ ୬ ରନକରି ଅପରାଜିତ ରହିଛନ୍ତି।
ଅପରାଜିତ ପ୍ରଥମ ଇନିଂସ ସ୍କୋର ୩୩/୪ରୁ ଖେଳ ଆରମ୍ଭ କରି ପାକିସ୍ତାନ ଦକ୍ଷିଣ ଆଫ୍ରିକା ବୋଲରମାନଙ୍କର ଉଚିତ ମୁକାବିଲା କରିଥିଲା। ଦୁଇ ଓଭରନାଇଟ ବ୍ୟାଟ୍ସମ୍ୟାନ ଆଝାର ଅଲୀ ଓ ଫଓ୍ବାଦ ଆଲମ ପଞ୍ଚମ ଉଇକେଟରେ ୯୪ ରନକରି ସ୍ଥିତି ସମ୍ଭାଳିଥିଲେ। ୫ ରନରୁ ଖେଳ ଆରମ୍ଭ କରି ଅଲୀ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେହିପରି ଫଓ୍ବାଦ ମଧ୍ୟ ୫ ରନରୁ ଖେଳ ଆରମ୍ଭ କରି ୧୦୯ ରନର ଲଢୁଆ ଶତକୀୟ ଇନିଂସ ଖେଳି ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ୩୩ ଓ ଫହିମ ଆଶ୍ରଫ୍ ୬୪ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ। ସପ୍ତମ ଉଇକେଟରେ ଫଓ୍ବାଦ ଓ ଫହିମ ୧୦୨ରନର ଭାଗୀଦାରି ସ୍ଥାପନ କରିଥିଲେ। ମଙ୍ଗଳବାର ଓପନର ଇମ୍ରାନ ଅଲୀ ଓ ଅବିଦ ଅଲୀ ଯଥାକ୍ରମେ ୯ ଓ ୪ ରନକରି ଆଉଟ ହୋଇଥିଲେ। ସେହିପରି ଅଧିନାୟକ ବାବର ଆଜମ ୭ ରନ କରି ଆଉଟ ହୋଇଥିବା ବେଳେ ନାଇଟ ଓ୍ବାଚ୍ମ୍ୟାନ ଶାହିନ ଶାହା ଆଫ୍ରିଦି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ କାଗିସୋ ରାବାଡ଼ା, ଅନରିଚ୍ ନୋର୍ଜ, ଲୁନ୍ଗି ଏନ୍ଗିଡି ଓ କେଶବ ମହାରାଜ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ: ୬୯.୨ ଓଭରରେ ୨୨୦ ଅଲଆଉଟ।
ପାକିସ୍ତାନ ପ୍ରଥମ ଇନିଂସ: ୧୦୭ ଓଭରରେ ୩୦୮/୮
(ଫଓ୍ବାଦ ଆଲମ- ୧୦୯, ଫହିମ ଆଶ୍ରଫ- ୬୪, ଆଝାର ଅଲୀ- ୫୧, ମହମ୍ମଦ ରିଜଓ୍ବାନ- ୩୩, କାଗିସୋ ରବାଡ଼ା- ୨/୪୫, ଅନରିଜ ନୋର୍ଜ- ୨/୮୪, ଲୁନ୍ଗି ଏନ୍ଗିଡି- ୨/୫୫, କେଶବ ମହାରାଜ- ୨/୭୧)।