ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌ ଭଳି ପର୍ୱରେ ପୁଷ୍ଟିକାରକ ତଥା ଓଷଧୀୟ ଗଛକୁ ଦେବୀ ବୋଲି ବିବେଚନାକରି ସେମାନଙ୍କୁ ମହିଳାମାନେ ପୂଜା କରନ୍ତି। ଏହିସବୁ ଗଛ ହେଉଛି କଦଳୀ, ଆମ୍ୱ, ନଡ଼ିଆ, ଧାନ, ବେଲ, ଅଶୋକା, ଅପାରାଜିତା। ଏହି ଗଛଗୁଡ଼ିକ ଦେବୀଙ୍କର ନଅ ପ୍ରକାର ସ୍ୱରୂପ। ଏଗୁଡ଼ିକ ଆମକୁ ଖାଦ୍ୟ ଯୋଗାନ୍ତି ଓ ଆମକୁ ସୁସ୍ଥ ରଖନ୍ତି। କିନ୍ତୁ ଆମେ ଏବେ ପ୍ରକୃତି ଓ ଉଦ୍ଭିଦ ସହ ଆମ ସମ୍ପର୍କ ତୁଟାଇଚାଲିଛୁ। ଆମେ ଦେବୀଙ୍କ ସ୍ୱରୂପ ଏହିସବୁ ଗଛକୁ ପୂଜା କିମ୍ୱା ରକ୍ଷଣାବେକ୍ଷଣ କରୁନାହଁୁ। ଅନ୍ୟପକ୍ଷରେ ଦେବୀଙ୍କର ପଥର, ଧାତୁ, ପ୍ଲାଷ୍ଟିକ୍‌ ଏବଂ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ମୂର୍ତ୍ତିକୁ ପୂଜା କରିବାରେ ଲାଗିଛୁ। ଏଥିପାଇଁ ବୃକ୍ଷକୁ ଗୁରୁତ୍ୱ ଦେଉନାହଁୁ। ଆଧୁନିକ ଯୁଗରେ ବିକାଶ ନାମରେ ରାସ୍ତାଘାଟ, କଳ କାରଖାନା ତିଆରି କରିବା ପାଇଁ ଗଛ କାଟିବାରେ ସମସ୍ତେ ବ୍ୟସ୍ତ। ଏହା ଆମର ଏକ ଅଭ୍ୟାସ ପାଲଟିଗଲାଣି। ବୈଜ୍ଞାନକମାନେ ଆବିଷ୍କାର କରିଛନ୍ତି ଯେ, ଅଲ୍‌ଟ୍ରାସୋନିକ୍‌ ତରଙ୍ଗ ଗଛରୁ ସୃଷ୍ଟି ହୋଇଥାଏ, ଯାହାକୁ ମଣିଷ ଶୁଣିପାରେ ନାହିଁ। ଫଳରେ ମଣିଷ ଏହି ତରଙ୍ଗକୁ ଗୁରୁତ୍ୱ ଦେଉନାହିଁ। ଗୋଟିଏ ସମୟ ଥିଲା ଭାରତରେ ସବୁଆଡ଼େ ଗଛ ଥିଲା ଏବଂ ଜଙ୍ଗଲର ସୁରକ୍ଷା ଆମର ମୁଖ୍ୟ କର୍ତ୍ତବ୍ୟ ଥିଲା। ଜଙ୍ଗଲରେ ଗୋରୁ ଚରାଇବା, ଚାଷ କରିବା, ଫଳମୂଳ କିମ୍ୱା ଜାଳେଣି କାଠ ସଂଗ୍ରହ ଉପରେ କଟକଣା ଥିଲା। କାହାକୁ ଏଥିପାଇଁ ଅନୁମତି ବି ନ ଥିଲା। ଜଙ୍ଗଲ ଥିଲା ଭାରତର ଆଦ୍ୟ ମନ୍ଦିର। କିନ୍ତୁ ବର୍ତ୍ତମାନ ଏକଥା କାହାର ମନେନାହିଁ। ସେ ସମୟରେ ପ୍ରଚଳିତ ବୃକ୍ଷପୂଜା ପରମ୍ପରାର ସାକ୍ଷୀ ହେଉଛି ହରପ୍ପା ସଭ୍ୟତା। ସେତେବେଳେ ଏହି ସଭ୍ୟତାରେ ପ୍ରଚଳିତ ମୋହରରୁ ଉଦ୍ଭିଦପୂଜନ ପରମ୍ପରା ଥିଲା ବୋଲି ଜଣାପଡ଼େ। ମୁଦ୍ରାଗୁଡ଼ିକରେ ପୁରୁଷ ଏବଂ ମହିଳାମାନେ ଗଛରୁ ଉଦ୍ଭବ ଦେବୀଙ୍କ ଚାରିପାଖରେ ନୃତ୍ୟ କରୁଥିବା ଦେଖାଯାଏ।
ନର୍ମଦା ନଦୀର ଦକ୍ଷିଣାଞ୍ଚଳରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ପାଇଥିବା ଏକ ଦେବୀଙ୍କ ମୁଣ୍ଡ ଦେଖିବାକୁ ପଦ୍ମଫୁଲ ଆକାରର। ବିଶେଷକରି ସୋମରସ ପ୍ରସ୍ତୁତି ଏବଂ ଦେବତାଙ୍କୁ ଅର୍ପଣ ଉଦ୍ଦେଶ୍ୟରେ ପାଳିତ ପର୍ୱବପର୍ୱାଣିର ସ୍ତୋତ୍ରସବୁ ବୈଦିକ ଶାସ୍ତ୍ରଗୁଡ଼ିକରେ ବର୍ଣ୍ଣନା କରାଯାଇଛି। ଋଗ୍‌ବେଦର ୫୦%ରୁ ଊର୍ଦ୍ଧ୍ୱ ସ୍ତୋତ୍ରରେ ୩ଟି ବିଷୟ ମୁଖ୍ୟତଃ ସୋମ, ଇନ୍ଦ୍ର ଓ ଅଗ୍ନି ବିଷୟ ଉଲ୍ଲେଖ ରହିଛି। ଋଗ୍‌ବେଦର ୧୦ଟି ଅଧ୍ୟାୟ ମଧ୍ୟରୁ ସମ୍ପୂର୍ଣ୍ଣ ୯ମ ଅଧ୍ୟାୟରେ ଗଛରୁ ସୋମରସ ସଂଗ୍ରହ ଓ ତାହାକୁ ଶୁଦ୍ଧକରିବା ବିଷୟ ବର୍ଣ୍ଣନା ରହିଛିି। ବୈଦିକ ଲୋକମାନେ ଦୂବଘାସକୁ ଆଦର କରୁଥିଲେ। ଏହା ଗୋଖାଦ୍ୟ ଭାବେ ବ୍ୟବହାର ହେଉଥିଲା। ସେତେବେଳେ ଦେବତା ଏବଂ ପୂର୍ୱପୁରୁଷଙ୍କୁ ପ୍ରଥମେ ବାର୍ଲି ପିଠା ଅର୍ପଣ କରାଯାଉଥିଲା। ଧାନରୁ ଚାଉଳ ମିଳିବା ପରେ ଚାଉଳ ପିଠା ଦିଆଗଲା । ଅର୍ଥବ ବେଦରେ ଘାସ, ବାର୍ଲି ଓ ଧାନ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ମଣିଷ ଏବଂ ଗଛର ନିବିଡ଼ ସମ୍ପର୍କକୁ ସୂଚିତକରେ। ସନ୍ନ୍ୟାସୀ ପରମ୍ପରାରେ ମଧ୍ୟ ଗଛର ଭୂମିକା ରହିଛି। ପ୍ରତ୍ୟେକ ଜୈନ ତୀର୍ଥଙ୍କରଙ୍କ ଏକ ପବିତ୍ର ଗଛ ସହ ସମ୍ପର୍କିତ। ମହାବୀରଙ୍କର ଶାଳଗଛ, ଋଷଭନାଥଙ୍କର ବରଗଛ ସହ ସମ୍ପର୍କ ଥିବାବେଳେ ଭୀମନାଥ ଜାମୁ ଗଛ ସହ ସମ୍ୱନ୍ଧିିତ। ଏହାସହ ଆମ୍ୱଗଛ ସହ ଅରନାଥ, ଅଶୋକ ଗଛ ସହ ମଲ୍ଲିନାଥ, କୋକୁମ ଗଛ ସହ ନେମିନାଥ ଜଡ଼ିତ ଥିବା କୁହାଯାଏ। ଏହି ତାଲିକା ବିଭିନ୍ନ ପରମ୍ପରାରେ ଭିନ୍ନ ହେଲେ ମଧ୍ୟ ଅତି କମ୍‌ରେ ଗୋଟିଏ ଉଦ୍ଭିଦ ଜୈନ ଗୁରୁଙ୍କ ଆତ୍ମାକୁ ଧାରଣ କରିଥାଏ। ବୁଦ୍ଧ ମଧ୍ୟ ଗଛ ଜଡ଼ିତ ରହିଛନ୍ତି। ବୁଦ୍ଧଙ୍କ ମା ତାଙ୍କୁ ଲୁମ୍ୱିନିରେ ଜନ୍ମଦେବା ସମୟରେ ଏକ ଶାଳ ଡାଳକୁ ଜାବୁଡ଼ି ଧରିଥିଲେ। ବୁଦ୍ଧ ଦୁଇଟି ଶାଳ ଗଛ ମଧ୍ୟରେ ଦେହତ୍ୟାଗ କରିଥିବା ମଧ୍ୟ ସତ୍ୟ । ବୁଦ୍ଧ ଅଶ୍ୱତ୍‌ଥ ଗଛ ତଳେ ଜ୍ଞାନପ୍ରାପ୍ତ ହୋଇଥିଲେ । ଜ୍ଞାନପ୍ରାପ୍ତି ପରେ ସେ ବାଉଁଶ ବଣରେ ଦିବ୍ୟବାଣୀ ପ୍ରଦାନ କରିଥିଲେ। ଏହା ବି ବର୍ଣ୍ଣନା କରାଯାଇଛି ଯେ, ଗୌତମ ବୁଦ୍ଧଙ୍କ ପୂର୍ୱରୁ ଆଉ ଜଣେ ବିପାସୀ ବୁଦ୍ଧ ଥିଲେ, ଯିଏ ଅଶ୍ୱତ୍‌ଥ ଗଛ ତଳେ ଜ୍ଞାନ ଲାଭ କରିିଥିଲେ। ସେହି ଅଶ୍ୱତ୍‌ଥ ଗଛର ଚାରିପାଖରେ ପାଟଳିପୁତ୍ର (ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ) ସହର ଗଢ଼ି ଉଠିିଥିଲା, ଯାହା ଏବର ବିହାରର ପାଟନା।
ଗଛ ଥିଲା ବିଭିନ୍ନ ବଂଶ ଏବଂ ରାଜ ପରିବାରର ଧର୍ମୀୟ ପ୍ରତୀକ । ସଙ୍ଗମ କାବ୍ୟରେ ଏହି ରାଜାମାନଙ୍କ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ରାଜାମାନେ ଶତ୍ରୁଙ୍କୁ ଆକ୍ରମଣକରି ସେମାନଙ୍କ ଧର୍ମୀୟ ପ୍ରତୀକ ଗଛକୁ ନଷ୍ଟକରି ଦେଉଥିବା ଏହି କାବ୍ୟରେ ଉଲ୍ଲେଖ କରାଯାଇଛି। ଚେରା ରାଜବଂଶର ନରମୁଦି ଚେରାଲ ତାଙ୍କ ଶତ୍ରୁ ନାନ୍ନା ରାଜବଂଶକୁ ହରାଇ ତାଙ୍କ ଧର୍ମୀୟ ପ୍ରତୀକ ଶିରିଶ ଗଛକୁ କାଟି ଦେଇଥିଲେ। ନାରକାସୁରକୁ ପରାସ୍ତ କରିବାରେ ଇନ୍ଦ୍ରଙ୍କୁ କୃଷ୍ଣ ସାହାଯ୍ୟ କରିବା ସହ ସ୍ୱର୍ଗକୁ ମୁକୁଳାଇଥିଲେ। ପରେ କୃଷ୍ଣ ସ୍ୱର୍ଗରୁ ପାରିଜାତ ଗଛ ନେବାକୁ ଚାହିଁଥିଲେ । ତାଙ୍କ ସ୍ତ୍ରୀ ସତ୍ୟଭାମାଙ୍କୁ ଖୁସି କରିବା ପାଇଁ ସେ ଏହା କରିଥିଲେ। ହେଲେ ଇନ୍ଦ୍ର ପାରିଜାତ ଗଛକୁ ପୃଥିବୀକୁ ନେବାକୁ ରାଜି ନ ଥିଲେ ମଧ୍ୟ କୃଷ୍ଣ ସେହି ଗଛକୁ ଛଡ଼ାଇ ଆଣିଥିଲେ। କୁହାଯାଏ, ହନୁମାନ କଦଳୀବଣରେ, ଗଣେଶ ଆଖୁ କିଆରିରେ, ଦେବୀ ନିମ୍ୱ ଏବଂ ତେନ୍ତୁଳି ଜଙ୍ଗଲରେ ରୁହନ୍ତି। ଦେବତାଙ୍କ ସହ ଗଛର କାହିଁ କେଉଁ ଯୁଗରୁ ଏହିଭଳି ସମ୍ପର୍କ ରହିଆସିଛି। ଜଙ୍ଗଲକୁ ଦେବତାଙ୍କ ଆଦ୍ୟ ମନ୍ଦିର ଜାଣି ସୁଦ୍ଧା ଆମେ ନିତିଦିନ ଜଙ୍ଗଲ ନଷ୍ଟ କରିଚାଲିଛୁ। ଯଦି ଏହି ଧାରା ଜାରି ରହେ, ତେବେ ଜଙ୍ଗଲ ନଷ୍ଟ ହେବାକୁ ଆଉ ବେଶିଦିନ ଲାଗିବ ନାହିଁ।
-devduttofficial@gmail.com