ଖଡ଼ିଆଳ,୨୩ା୮ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ତିଖାଲି ଡ୍ୟାମ୍ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି। ଗତ ୨ଦିନ ଧରି ଏଠାରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଫଳରେ ତିଖାଲି ଡ୍ୟାମ୍ରେ ଜଳସ୍ତର ବଢିଛି। ଏହାକୁ ଦୃଷ୍ଟିରେ ରଖି ପୂଜାର୍ଚ୍ଚନା ପରେ ଡ୍ୟାମ୍ର ୩ନମ୍ବର ଗେଟ୍ ଖୋଲାଯାଇଛି। ଜଳ ନିଷ୍କାସନ ପୂର୍ବରୁ ସୁନ୍ଦର ନଦୀକୂଳିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ନଦୀ ଭିତରକୁ ନ ଯିବା କିମ୍ବା ଗୃହପାଳିତ ପଶୁଙ୍କୁ ନ ଛାଡ଼ିବାକୁ ସଚେତନ କରାଯାଇଥିଲା।
ଶୁକ୍ରବାର ଜଳଭଣ୍ଡାରରେ ଜଳସ୍ତର ୨୬୪.୩ ମିଟର ରହିଛି। ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭୭ ଘନମିଟର ଜଳ ପଶୁଥିବା ବେଳେ ୮୦ ଘନମିଟର ନିଷ୍କାସନ ହେଉଛି। ୯ ଗୋଟି ଗେଟରୁ ଗୋଟିଏ ଗେଟ ଖୋଲାଯାଇଛି। ଆବଶ୍ୟକ ପଡ଼ିଲେ ଆହୁରି ଖୋଲାଯିବ ବୋଲି ଜଳସେଚନ ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟ କିଶୋର ଜୟପୁରିଆ କହିଛନ୍ତି। ଏହି ସମୟରେ ଏସ୍ଡିଓ ହେମ କୁମାର ନାୟକ, ଏସ୍ଡିଓ ସୌରଭ କୁମାର ଦାସ, ଏଇ ଝୁରିଲାଲ ଲୁହାର ପ୍ରମୁଖ ଉପସ୍ଥିତ ଥିଲେ।