ପ୍ରଥମ ମହିଳା ଯୁଦ୍ଧବିମାନ ପାଇଲଟ୍‌ ସମ୍ମାନିତ

ନୂଆଦିଲ୍ଲୀ,୨୬।୫: କ୍ୟାପ୍ଟେନ୍‌ ଅଭିଳାଷା ବାରାକ ସ୍ଥଳସେନାର ପ୍ରଥମ ମହିଳା ଯୁଦ୍ଧବିମାନ ଚାଳିକା ହୋଇପାରିଛନ୍ତି। ଆର୍ମିର ଯୁଦ୍ଧ ବିମାନ ଉଡାଣ ପାଇଁ ଥିବା ସ୍ବତନ୍ତ୍ର କୋର୍ସ କରିବା ପରେ ଅଭିଳାଷାଙ୍କୁ ଏହି ସଫଳତା ମିଳିଛି।

ନାସିକର କମ୍ବାଟ୍‌ ଆର୍ମି ଆଭିଏଶନ୍‌ ଟ୍ରେନିଂ ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଜରିଆରେ ଅଭିଳାଷାଙ୍କ ସମେତ ଅନ୍ୟ ୩୬ ଜଣ ଆର୍ମି ପାଇଲଟଙ୍କୁ ସାଧାରଣ ନିର୍ଦ୍ଦେଶକ ଏବଂ କଲୋନେଲ କମାଣ୍ଡାଣ୍ଟ କର୍ଭଟେଡ୍‌ ଓ୍ବିଙ୍ଗ୍‌ସ୍‌ ସମ୍ମାନ ପ୍ରଦାନ କରିଛନ୍ତି। ହରିୟାଣାରେ ଅଭିଳାଷାଙ୍କ ଘର ହୋଇଥିବାବେଳେ ୨୦୧୮ରେ ସେ ଆର୍ମି ଏୟାର ଫୋର୍ସ କପ୍‌ରେ ସାମିଲ ହୋଇଥିଲେ। ତାଙ୍କ ବାପା ଓମ୍‌ ସିଂ ମଧ୍ୟ ଜଣେ ସେନା ଅଧିକାରୀ ଥିଲେ।