ପ୍ରଥମଥର ପାଳିତ ହେଲା ବ୍ଲକସ୍ତରୀୟ ସ୍ବାଧୀନତା ଦିବସ: ଅଞ୍ଚଳର ବିକାଶ ପାଇଁ ବାର୍ତ୍ତା ବାଣ୍ଟିଲେ ବିଡିଓ-ତହସିଲଦାର

ପୁରୁଷୋତ୍ତମପୁର,୧୫ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭାରତ ସ୍ବାଧୀନ ହେବାର ଦୀର୍ଘବର୍ଷ ପରେ ଚଳିତବର୍ଷ ପ୍ରଥମଥର କରି ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ଏନ୍‌ଡି ହାଇସ୍କୁଲ ପରିସରରେ ପାଳିତ ହୋଇଛି। ଏଥିଲାଗି ସହରବାସୀଙ୍କ ମଧ୍ୟରେ ଏକ ଉସାହ ଦେଖାଦେଇଛି। ତହସିଲଦାର ବିନୋଦ କୁମାର ବେହେରା ଅଞ୍ଚଳର ବିକାଶ ଓ ଭାଇଚାରା ପ୍ରତିଷ୍ଠାର ଲକ୍ଷ୍ୟ ରଖି ଦଳଗତ ନିର୍ବିଶେଷରେ ସମସ୍ତଙ୍କୁ ଏକାଠି କରି ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରି ଅଞ୍ଚଳରେ ଇତିହାସ ସୃଷ୍ଟି କରିଛନ୍ତି। ବରିଷ୍ଠ ନାଗରିକ ସଂଘର ସଂପାଦକ ପ୍ରଫୁଲ୍ଲ କୁମାର ରଥଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ୭୯ ତମ ସ୍ବାଧୀନତା ଦିବସରେ ତହସିଲଦାର ବିନୋଦ କୁମାର ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଡିଓ ଶରତ କୁମାର ପାତ୍ର, ମୁଖ୍ୟବକ୍ତା ଭାବେ ଏନ୍‌ଏସି ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା ଯୋଗଦେଇ ଏଭଳି କାର୍ଯକ୍ରମ ପ୍ରତିବର୍ଷ ପାଳନ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏଥିସହିତ ଅଞ୍ଚଳର ବିକାଶ ପାଇଁ ବାର୍ତ୍ତା ବାଣ୍ଟିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏନ୍‌ଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ବ୍ଲକ ଶିକ୍ଷାଧିକାରୀ କିଶୋର କୁମାର ବେହେରା, ସିଡିପିଓ ଲଳିତା ମଲ୍କିକ, କମିଟିର ସମ୍ପାଦକ ଅବସରପ୍ରାପ୍ତ ଶିକ୍ଷକ ରାଜଗୋପାଳ ରାଓ, କୋଷାଧ୍ୟକ୍ଷ ୟୁନିୟନ ବ୍ୟାଙ୍କ ମ୍ୟାନେଜର ରୂପେଶ କୁମାର ରଥ, ଉପସଭାପତି ବୃନ୍ଦାବନ ଡାକୁଆ, ସହସମ୍ପାଦକ ଅରୁଣ କୁମାର ଗୌଡ଼ ଯୋଗଦେଇଥିଲେ।

ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ସ୍କାଉଟ୍‌ ଗାଇଡ୍‌ କ୍ୟାଡେଟ୍‌ମାନେ ଯୋଗ ଦେଇ ପରେଡ୍‌ ପ୍ରଦର୍ଶନ କରିଥିବା ବେଳେ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଛାତ୍ରୀଛାତ୍ରକଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ ହୋଇଥିଲା। ଏଥିରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଆଇନଜୀବୀ ବ୍ୟବସାୟୀ ଓ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନର କର୍ମଚାରୀମାନେ ଯୋଗଦେଇଥିଲେ।