ଗଞ୍ଜାମ,୫।୧୧(ଅଖିଳ ତରାଇ): ଓଡ଼ିଶାର ଏକ ପୁରାତନ ତଥା ଐତିହାସିକ ସାମୁଦ୍ରିକ ବାଣିଜ୍ୟ କେନ୍ଦ୍ର ଗଞ୍ଜାମରେ ପ୍ରଥମଥର ପାଇଁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଡଙ୍ଗାଭସା ତଥା ରାସ ପୂର୍ଣ୍ଣିମା ଅବସରରେ ଏକ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଯାଇଛି। ପୁରାତନ କାଳରୁ ଗଞ୍ଜାମର ବଣିକମାନେ ବୋଇତ ଦ୍ୱାରା ବିଭିନ୍ନ ଦେଶ ସହ ବାଣିଜ୍ୟ କରୁଥିଲେ, ଯାହା ଆମ ଗୌରବମୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।
ଓଡ଼ିଆ ଜାତିର ସ୍ବାଭିମାନ ଓ ମହାନ ନୌବାଣିଜ୍ୟ ପରମ୍ପରାର ମହାନ ନିଦର୍ଶନ “ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର!”କୁ ସ୍ମରଣ କରି ଗଞ୍ଜାମ ଅଞ୍ଚଳବାସୀ ଏହି ସମୃଦ୍ଧ ପରମ୍ପରାକୁ ପୁନଃ ଉଜ୍ଜୀବିତ କରିବା ପାଇଁ ସ୍ଥାନୀୟ ଋଷିକୂଲ୍ୟା ନଦୀ ତଟରେ ଏହି ଭବ୍ୟ ଉତ୍ସବ ଆୟୋଜନ କରିଥିଲେ। ଏହି ଅବସରରେ ଏନସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ଆଇଆଇସି ସୁମିତ୍ରା ପାତ୍ର, ଗ୍ରାସିମ ୟୁନିଟ ମୁଖ୍ୟ ଅଜୟ ଗୁପ୍ତାଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ସ୍ଥାନୀୟ ଅଞ୍ଚଳର ପିଲାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକମାନେ ଉତ୍ସାହର ସହ ଏହି ଉତ୍ସବରେ ଯୋଗଦେଇ ଓଡ଼ିଆ ଜୀବନ ସଂସ୍କୃତିକୁ ସ୍ମରଣ କରିବା ସହ ଏହାକୁ ସଫଳ କରିଥିଲେ। ଅଞ୍ଚଳବାସୀଙ୍କ ଏହି ପ୍ରୟାସ ନୌବାଣିଜ୍ୟ ପରମ୍ପରା ପ୍ରତି ସେମାନଙ୍କ ଗଭୀର ଶ୍ରଦ୍ଧାକୁ ପ୍ରତିପାଦିତ କରୁଛି।
\