ନୂଆପଡ଼ା,୧୭ା୫ (ମକାରୁ ବେମାଲ):ନୂଆପଡ଼ା ସହରର ବହୁ ପ୍ରତୀକ୍ଷିତ ପରେ ପ୍ରଥମ କରି ଏକତା ଛକଠାରେ ସ୍ବୟଂ ଚାଳିତ ଟ୍ରାଫିକ ନିୟନ୍ତ୍ରଣ ସିଗ୍ନାଲ ପଏଣ୍ଟ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଏଥିରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଜିଲାପାଳ ମଧୁସୂଦନ ଦାଶ, ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର, ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମହମ୍ମଦ ଆଦାମ, ଜିଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝି, ଜିଲା କ୍ରିକେଟ ଆସୋସିଏଶନ ସମ୍ପାଦକ ସରୋଜ କୁମାର ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ସର୍ବ ପ୍ରଥମେ ଅତିଥି ବୃନ୍ଦ ଜିଲାର ବରପୁତ୍ର ସ୍ବର୍ଗତ ଘାସିରାମ ମାଝିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ପରେ ଫିତା କାଟି ସ୍ବୟଂଚାଳିତ ଟ୍ରାଫିକ ନିୟନ୍ତ୍ରଣ ସିଗ୍ନାଲ ପଏଣ୍ଟ ଉଦ୍ଘାଟନ କରିଥିଲେ। ନୂଆପଡ଼ା ସହରର ଏହି ବ୍ୟସ୍ତବହୁଳ ଏକତା ଛକରେ ଏହାର ଆବଶ୍ୟକତା ବହୁଦିନରୁ ଅନୁଭୂତ ହେଉଥିଲା। ଜିଲା ସଡ଼କ ସୁରକ୍ଷା ବୈଠକରେ ଜିଲାପାଳ ଓ ଏସ୍ପି ଗୁରୁତ୍ୱ ଦେଇଥିଲେ। ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆପଡ଼ା ଦ୍ୱାରା ଏହି ସ୍ବୟଂଚାଳିତ ଟ୍ରାଫିକ ନିୟନ୍ତ୍ରଣ ପଏଣ୍ଟ ସିଗ୍ନାଲ ସ୍ଥାପିତ ହୋଇଛି। କାର୍ଯ୍ୟକ୍ରମରେ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକ, ସମସ୍ତ କାଉନ୍ସିଲର, ସହରବାସୀ ଯୋଗଦାନ କରି ଖୁସିବ୍ୟକ୍ତ କରିଛନ୍ତି।