ଭଞ୍ଜନଗର,୧୮/୧୦(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପରିସରରେ ରାସନ କାର୍ଡ ପ୍ରଦାନ, ପକ୍କା ଘର କାର୍ଯ୍ୟାଦେଶ ୱାର୍କ ଅର୍ଡର ପ୍ରଦାନ ଏବଂ ଭତ୍ତା ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଞ୍ଜନଗର ବ୍ଲକର ୮୦୦ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରିଥିଲେ। ଏଥିସହ ୨୦୦ ହିତାଧିକାରୀଙ୍କୁ ପକ୍କା ଘର କାର୍ଯ୍ୟାଦେଶ ଏବଂ ୬୧ ଜଣଙ୍କୁ ଭତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ବିଧାୟକ ନାୟକ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସରକାରୀ ଯୋଜନା କିଭଳି ପହଞ୍ଚିବ ସେନେଇ କହିଥିଲେ।
ଭଞ୍ଜନଗର ବ୍ଲକର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଜନାରେ ସାମିଲ କରାଯିବ। ଯେଉଁ ଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ ନାହିଁ ସେମାନଙ୍କୁ ମଧ୍ୟ ରାସନ କାର୍ଡ ପ୍ରଦାନ କରାଯିବ ବୋଲି ବିଧାୟକ କହିଥିଲେ । ବୈଠକରେ ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଭାରତୀ ଦେବୀ, ବ୍ଲକ ଉପାଧକ୍ଷା ରାଜଲକ୍ଷ୍ମୀ ପ୍ରଧାନ, ଜଗନ୍ନାଥପ୍ରସାଦ ବ୍ଲକ ଉପାଧ୍ୟକ୍ଷ ନୀଳାଚଳ ଖିଲାର ପ୍ରମୁଖ ଉପସ୍ଥିତ ଥିଲେ।
ଏବିଡିଓ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ସଭାକୁ ସଂଯୋଜନା କରିଥିଲେ। ଏହାପୂର୍ବରୁ ବିଧାୟକ ନାୟକ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବା ସମୟରେ କହିଥିଲେ ଯେ, ତାରସିଂ ଠାରେ ଏକ ଦମକଳ କେନ୍ଦ୍ର ହେବ। ଏଥିସହ ଭଞ୍ଜନଗର ଏବଂ ତାରସିଂ ଦମକଳ କେନ୍ଦ୍ର ପରିସରରେ ଦୁଇଟି ଆମ୍ବୁଲାନ୍ସ ରହିବ। ଭଞ୍ଜନଗର ଠାରୁ ତାରସିଂ ହେଉଛି ୩୦ କିମି ଦୁର। ଅନ୍ୟ ଦମକଳ କେନ୍ଦ୍ର ଥିବା ସ୍ଥାନ ଠାରୁ ମଧ୍ୟ ତାରସିଂ ବହୁତ ଦୂରରେ ଅବସ୍ଥିତ। ତେଣୁ ସଂମ୍ପୃକ୍ତ ଅଞ୍ଚଳରେ ହଠାତ୍ କିଛି ଅଘଟଣ ଘଟିଲେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଅଞ୍ଚଳବାସୀଙ୍କ ସମସ୍ୟାକୁ ହୃଦବୋଧ କରି ତାରସିଂ ଠାରେ ଦମକଳ କେନ୍ଦ୍ର ଖୋଲିବା ପାଇଁ ପଦକ୍ଷେପ ନେଇଥିଲି।
ଏନେଇ ଅଗ୍ନିଶମ ବାହିନୀ ବିଭାଗର ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିବା ପରେ ତାରସିଂ ଠାରେ ଦମକଳ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ବିଧାୟକ ନାୟକ କହିଥିଲେ। ଏଥିସହ ରୋଗୀ ସେବାରେ ସୁଧାର ଆଣିବା ପାଇଁ ଦୁଇଟି ଆମ୍ବୁଲାନ୍ସ ତାରସିଂ ଏବଂ ଭଞ୍ଜନଗର ଦମକଳ କେନ୍ଦ୍ରକୁ ଆସିବ। ଏଥିସହ ଭଞ୍ଜନଗର ଦମକଳ କେନ୍ଦ୍ରର ଆଧୁନିକୀକରଣ ଏବଂ କର୍ମଚାରୀ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବିଧାୟକ ନାୟକ ଆଲୋଚନା ସମୟରେ କହିଛନ୍ତି। ଏହି ଖବର ସଂମ୍ପୃକ୍ତ ଅଞ୍ଚଳବାସୀ ଜାଣିବା ପରେ ଖୁସିବ୍ୟକ୍ତ କରିଛନ୍ତି।