“ଜଙ୍ଗଲ ନିଆଁକୁ ରୋକିଲେ ହିଁ ପରିବେଶ ସୁରକ୍ଷିତ ରହିବ”

ଭଞ୍ଜନଗର, ୧୦।୩ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ତାରସିଂ ରେଞ୍ଜ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଏକ ବନାଞ୍ଚଳସ୍ତରୀୟ ବନାଗ୍ନି ପ୍ରଶମନ ଓ ପରିଚାଳନା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜନସାଧାରଣ ଓ ବନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରିବା ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି କାର୍ଯ୍ୟକ୍ରମରେ ଏସିଏଫ୍‌ ବିମଳ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବନ ବିଭାଗ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କ ସହ ସୁସମ୍ପର୍କ ରଖି କାର୍ଯ୍ୟ କଲେ ଜଙ୍ଗଲ ନିଆଁକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ। ଅନ୍ୟମାନଙ୍କ ମଧ୍ୟରେ ତାରସିଂ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ବିଭୁ କଲ୍ୟାଣ ପରିଡ଼ା, ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ ଓ ପ୍ରଶାନ୍ତ ସାହୁ, ପରିବେଶ ପ୍ରେମୀ ବିଜୟ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଚଳିତ ବର୍ଷ ଫେବୃୟାରୀ ୨୮ରେ ଏହି ରେଞ୍ଜରେ ପ୍ରଥମ ଜଙ୍ଗଲ ନିଆଁ ଦେଖାଦେଇଥିଲା। ମୋବାଇଲ ନେଟୱର୍କ ନ ଥିବାରୁ କିଛି ସମସ୍ୟା ଉପୁଜିଥିଲେ ହେଁ, କର୍ମଚାରୀ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏହାକୁ ଆୟତ୍ତ କରାଯାଇଥିଲା। ବନାଗ୍ନି ରୋକିବା ପାଇଁ ବିଭାଗ ପକ୍ଷରୁ ନିମ୍ନଲିଖିତ ପଦକ୍ଷେପ ନିଆଯାଇଛି।

ଜଙ୍ଗଲ ନିଆଁ ରୋକିବାକୁ ପ୍ରାୟ ୪୫ କିମି ଫାୟାର ଲାଇନ କଟାଯାଇଛି।ଏପର୍ଯ୍ୟନ୍ତ ୫୦ଟି ସଚେତନତା ସଭା ସହ ’ଘୋଡ଼ା ନାଚ’ ମାଧ୍ୟମରେ ଲୋକଙ୍କୁ ଶିକ୍ଷା ଦିଆଯାଉଛି। ସ୍ଥାନୀୟ ବନ ସୁରକ୍ଷା ସମିତି ସହ ମିଶି କର୍ମଚାରୀମାନେ ସଜାଗ ରହିଛନ୍ତି।

ବକ୍ତାମାନେ ଚେତାବନୀ ଦେଇଥିଲେ ଯେ ଜଙ୍ଗଲରେ ଗଛର ତିନୋଟି ସ୍ତର ରହିଥାଏ। ନିଆଁ ଲାଗିଲେ ପ୍ରଥମ ସ୍ତରର ଛୋଟ ଗଛ ଓ ଚାରା ନଷ୍ଟ ହୋଇଯାଏ, ଯାହା ନୂଆ ଜଙ୍ଗଲ ସୃଷ୍ଟିରେ ପ୍ରତିବନ୍ଧକ ସାଜେ। ଜଙ୍ଗଲ ନିକଟବର୍ତ୍ତୀ ଲୋକେ ବିଶୁଦ୍ଧ ବାୟୁ ପାଉଥିବାରୁ ସେମାନଙ୍କ ଆୟୁଷ ଅଧିକ, ମାତ୍ର ବାୟୁ ପ୍ରଦୂଷଣ ବର୍ତ୍ତମାନ ସମୟର ଏକ ବଡ଼ ଚିନ୍ତାଜନକ ବିଷୟ ପାଲଟିଛି।

ରେଞ୍ଜର ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ଓଏଫ୍‌ଏସ୍‌ଡିପି ରେଞ୍ଜ ସଂଯୋଜକ ରାମଚନ୍ଦ୍ର ବାରିକ ସଂଯୋଜନା କରିଥିଲେ। ବନପାଳ କଳାବଦନ ଦାସ, ସୁଭସ୍ମିତା ଦାସ ଓ କୃଷ୍ଟ ନାହାକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Share