ପଟ୍ଟାଙ୍ଗି,୨୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡିଶାକୁ ଲାଗି ରହିଥିବା ଆନ୍ଧ୍ର ରାଜ୍ୟର ବିଜୟନଗରମ ଜିଲା ଅଧିନସ୍ଥ ରାମ୍ପଦ୍ରପୁରମ ନିକଟସ୍ଥ ତାରାପୁରମ ଗ୍ରାମ ନିକଟରେ ଓଡ଼ିଶାର ଏକ ଘରୋଇ ଯାତ୍ରୀବାହୀ ବସରେ ନିଆଁ ଲାଗି ଯାଇଛି। ବସରେ ଭୁବନେଶ୍ୱରରୁ ନିଜ ଗ୍ରାମ ମାଲକାନଗିରି ଜିଲାର ଚିତ୍ରକୋଣ୍ଡାକୁ ଫେରୁଥିବା ବିଧାୟକ ମଙ୍ଗୁ ଖିଲ ବସରୁ ଡେଇଁ ଡ୍ରାଇଭର ସହ ମିଶି ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଅନ୍ୟ ବସରେ ପଠାଇବାରେ ସହଯୋଗ କରିଥିଲେ।
ସୂଚନାମୁତାବକ,ଭୁବନେଶ୍ୱରରୁ ମାଲକାନଗିରି ଜିଲା କାଲିମେଳା ଅଭିମୁଖେ ଆସୁଥିବା ନୀଳକଣ୍ଠେଶ୍ୱର (ଅରେଞ୍ଜ) ନାମକ ଏକ ଘରୋଇ ସ୍ଲିପର୍ ବସ ନଂ(OD02 CS 4002)ରେ ପ୍ରାୟ ୩୯ ଜଣ ଯାତ୍ରୀ ନିଜ ନିଜ ଗନ୍ଥବ୍ୟସ୍ଥଳକୁ ଫେରୁଥିଲେ। କିନ୍ତୁ ହଠାତ୍ ବିଳମ୍ବିତ ରାତି ପ୍ରାୟ ଉପରୋକ୍ତ ଗ୍ରାମ ଯଥା ଆନ୍ଧ୍ର ପ୍ରଦେଶର ତାରାପୁରମ ଗ୍ରାମ ନିକଟରେ ଉକ୍ତ ବସରେ ଲାଗି ଯାଇଥିଲା ନିଆଁ । ଏହି ସମୟରେ ବସରେ ବସି ଫେରୁଥିବା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ବସରୁ ଡେଇଁ ଡ୍ରାଇଭରର ସହଯୋଗରେ ବସରେ ରହିଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଅନ୍ୟ ଏକ ବସରେ ଜୟପୁର ପଠାଇବାରେ ସହଯୋଗ କରିଥିଲେ।
ସେପଟେ ନିଆଁ ଲାଗି ଜଳି ଯାଇଥିବା ବସର ଡ୍ରାଇଭର ସୁକଦେବ ବେହେରାଙ୍କ କହିବା ଅନୁସାରେ, ମୁଁ ଶୋଇଥିଲି ଅନ୍ୟ ଡ୍ରାଇଭର ଦାଶରଥି ପୃଷ୍ଟି ଚଲାଉଥିବାବେଳେ ଏକ ଫାଟିବା ଭଳି ଶବ୍ଦ ହୋଇଥିଲା। ଯେଉଁଥିରେ କି ମୋ ନିଦ ଭାଙ୍ଗି ଯିବାରୁ ଚଲାଉଥିବା ଡ୍ରାଇଭରଙ୍କୁ ବସ ରଖିବା ପାଇଁ କହିଥିଲିଙ୍। ବସରୁ ଓହ୍ଲାଇ ଦେଖିବାକୁ ପାଇଥିଲି କି ବସରେ ପଛ ଚକା ପାଖରେ ରହିଥିବା ହାଉଜିଙ୍ଗ ନିକଟରେ ଥିବା ଓୟାର୍ରୁ ନିଆଁ ଲଗିଛି। ଏହାଦେଖି ପାଣି ପକାଇ ଲିଭାଇବାକୁ ଚେଷ୍ଟା କରିଥିଲୁ। କିନ୍ତୁ ନିଆଁ ନ ଲିଭିବାରୁ ବସରେ ରହିଥିବା ଗ୍ୟାସ କାଡି ଲିଭାଇବା ସମୟରେ ବସର ବେଲୁନ ଫାଟିଯିବାରୁ ଆଉ ନିଆଁକୁ ଆୟତ୍ତ କରି ହେଲାନାହିଁ ବୋଲି ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ବସରେ ରହିଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରୁ ଜଣେ ମହିଳା ଯାତ୍ରୀ ସ୍ଲିପର୍ରେ ଶୋଇଥିବାବେଳେ ସେ ପିନ୍ଧି ଥିବା ସୁନାକୁ କାଡି ତକିଆ ତଳେ ରଖି ଶୋଇଥିଲେ କିନ୍ତୁ ଏହି ସମୟରେ ତରବରିଆ ଭାବେ ନିଆଁ ଲାଗିଥିବା ବସରୁ ନିଜ ଜୀବନ ବଞ୍ଚାଇବାକୁ ଯାଇ ଓହ୍ଲାଇ ପଡିଥିଲେ। କିନ୍ତୁ ନିଜ ସୁନାକୁ କାଡି ପାରି ନ ଥିବାରୁ ଘଟଣାସ୍ଥଳେ ଖବର ପାଇ ପହଞ୍ଚିଥିବା ଆନ୍ଧ୍ର ପୋଲିସଙ୍କ ସହାୟତା ସୁନା ଖୋଜିବା ପରେ ମିଳିଥିଲା। ଘଟଣାସ୍ଥଳରେ ଆନ୍ଧ୍ର ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।