ଗ୍ରୋସରି ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ଜଳିଗଲା

ଦିଗପହଣ୍ଡି,୨୪।୪ (ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ବଡଦାଣ୍ଡ ସାହିର ନର୍ମଦା ସାହୁ ଙ୍କ ଗ୍ରୋସରୀ ଦୋକାନରେ ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟାରେ ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ଯାଇଛି।ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ କୁ ଆୟତ୍ତ କରିଥିଲେ। ଦୋକାନରେ ସନ୍ଧ୍ୟା ଦୀପ ଲଗାଇବା ବେଳେ ଅସାବଧାନତା କାରଣରୁ ଦୋକାନ ଭିତରେ ନିଆଁ ଲାଗିଯାଇଥିଲା ।କିଛିଦିନ ପୂର୍ବେ ଦୋକାନ ମାଲିକ କେଦାର ସାହୁ ଙ୍କ ଦେହାନ୍ତ ହେବା ପରେ ତାଙ୍କ ସ୍ତ୍ରୀ ନର୍ମଦା ଏବଂ ଦୁଇ ପୁଅ ବ୍ୟବସାୟ କରୁଥିଲେ।ଅଗ୍ନିକାଣ୍ଡ ଯୋଗୁ ଦୋକାନ ସାମଗ୍ରୀ ପୋଡ଼ି ପାଉଁଶ ହେବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ତେଣୁ ପରିବାର ଚଳାଇବା ସହ ବ୍ୟବସାୟ ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ସରପଞ୍ଚ ବିଜୟ କୁମାର ପ୍ରଧାନ ଏବଂ ଗ୍ରାମବାସୀ ଦାବି କରିଛନ୍ତି।