ବରଗଡ଼ରେ ପ୍ରଶାସନର ଅତର୍କିତ ଚଢ଼ାଉ: ୧୭ ତମାଖୁ ବ୍ୟବସାୟୀଙ୍କୁ ଜରିମାନା, ହୋଟେଲ ଓ ଔଷଧ ଦୋକାନୀଙ୍କୁ …

ବରଗଡ଼, ୧୩।୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଶୁକ୍ରବାର ପ୍ରଶାସନିକ ସ୍କ୍ବାର୍ଡ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ତମାଖୁ ନିୟନ୍ତ୍ରଣ ନିୟମ (COTPA) ଉଲ୍ଲଂଘନ କରୁଥିବା ଅଭିଯୋଗରେ ୧୭ ଜଣ ଦୋକାନୀଙ୍କଠାରୁ ମୋଟ ୩୦୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

କେବଳ ତମାଖୁ ନୁହେଁ, ବରଂ ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସ୍କ୍ବାର୍ଡ ପକ୍ଷରୁ ବିଭିନ୍ନ ହୋଟେଲ ଏବଂ ଖାଦ୍ୟ ଠେଲାଗୁଡ଼ିକରେ ମଧ୍ୟ ଯାଞ୍ଚ କରାଯାଇଥିଲା। ଏହାପରେ ଅଧିକାରୀମାନେ ବ୍ୟବସାୟୀମାନଙ୍କୁ ଗ୍ରାହକଙ୍କୁ ସଫା ପାନୀୟ ଜଳ ଯୋଗାଇବା ଏବଂ ପରିବେଶ ସଫା ରଖିବା, କୌଣସି ପରିସ୍ଥିତିରେ ବାସି ଖାଦ୍ୟ ନ ବିକ୍ରି କରିବା ଏବଂ ଖାଦ୍ୟରେ କୃତ୍ରିମ ରଙ୍ଗ ବ୍ୟବହାର ନ କରିବା, ଖବରକାଗଜରେ ଖାଦ୍ୟ ସାମଗ୍ରୀ ରଖି ନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କାରଣ ଏହାର ବ୍ୟବହାର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ।

ଭେଷଜ ନିରୀକ୍ଷକଙ୍କ ନେତୃତ୍ୱରେ ଏହି ଟିମ ବିଭିନ୍ନ ଔଷଧ ଦୋକାନୀମାନଙ୍କୁ ଭେଟି ସଚେତନ କରାଇଥିଲେ। ଡାକ୍ତରଙ୍କ ବିନା ପରାମର୍ଶରେ (Prescription) କୌଣସି ନାରକୋଟିକ ବା ନିଶାଜାତୀୟ ଔଷଧ ବିକ୍ରି ନ କରିବାକୁ କଡ଼ା ଚେତାବନୀ ଦିଆଯାଇଛି।

ଏହି ମିଳିତ ଚଢ଼ାଉରେ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ପରମେଶ୍ୱର ନାଏକ, ଜିଲା ପରାମର୍ଶଦାତା ସ୍ବାଗତିକା ବେହେରା, ଭେଷଜ ନିରୀକ୍ଷକ ଦୀପକ କୁମାର ସିଂହ, ପୋଲିସ ବିଭାଗରୁ ଅକ୍ଷୟ ସାହୁ ଏବଂ ଅବକାରୀ ବିଭାଗର ଏଏସଆଇ ମଳୟ କୁମାର ପଧାନ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହିପରି ଚଢ଼ାଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Dharitri – Odisha’s No.1 Odia Daily

Share